ଘର ନାହିଁ ଦୁଆର ନାହିଁ, ବାପା- ମାଆ ନାହାଁନ୍ତି, ଏବେ ଭାଙ୍ଗିଦେଲେ ଆମେ କୁଆଡ଼େ ଯିବୁ…

ବ୍ରହ୍ମପୁର: ଆଜି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରର ୱାର୍ଡ ନଂ ୧୭ ପଞ୍ଚାନନ ନଗର ବସ୍ତିରେ ଜବର ଦଖଲ ଉଚ୍ଛେଦ କରିବା ପୂର୍ବରୁ ଉତ୍ତେଜନା ଦେଖାଦେଇଥିଲା । ଦୀର୍ଘ ସମୟ ଧରି ସ୍ଥାନୀୟ ଲୋକେ ଓ ସ୍ଥାନୀୟ କର୍ପୋରଟେରଙ୍କ ସମେତ ୧୫ରୁ ଉର୍ଦ୍ଧ୍ୱ କର୍ପୋରେଟର ଘଟଣାସ୍ଥଳରେ ପହଞ୍ଚି ଜବର ଦଖଲ ଉଚ୍ଛେଦକୁ ପ୍ରତିବାଦ କରିବା ପରେ Bemc ଉଚ୍ଛେଦ ପ୍ରକ୍ରିୟାରୁ ଓହରିଥିଲେ ।

ସୂଚନାରୁ ପ୍ରକାଶ ଆଜି ସକାଳୁ ସକାଳୁ ମହାନଗର ନିଗମ ୱାର୍ଡ ନମ୍ବର ୧୭ ଗେଟ୍ ବଜାର ପଞ୍ଚାନନ ନଗର ବସ୍ତିରେ ଟିକି ପାତ୍ର ନାମକ ଜଣେ ମହିଳା ଜବରଦଖଲ କରି ଗୃହ ନିର୍ମାଣ କରିଥିବା ନେଇ Bemc ପକ୍ଷରୁ ଉଚ୍ଛେଦ କରିବାଲାଗି କମିଶନରଙ୍କ ସମେତ ଟାଉନଥାନା ପୋଲିସ ସହ ଫୋର୍ସ ପହଞ୍ଚିଥିଲେ । ତେବେ ଗୃହ ଉଚ୍ଛେଦ କରିବା ଲାଗି ସ୍ଥାନୀୟ ବାସିନ୍ଦାଙ୍କ ସମେତ ମହାନଗର ନିଗମର ୧୭ ନମ୍ବର ୱାର୍ଡର କର୍ପୋରେଟର ଦୁର୍ଗା ଲାଏକ ଏହାକୁ ବିରୋଧ କରିଥିଲେ ।

ଗୃହ ନିର୍ମାଣ କରିଥିବା ମହିଳାଙ୍କୁ ଦୁଇ ଦିନ ତଳେ ନୋଟିସ ଦେବା ପରେ ଆଜି ଝିପି ଝିପି ବର୍ଷା ସତ୍ତ୍ୱେ Bemcର ଏଭଳି ନିଷ୍ପତ୍ତିକୁ ସମସ୍ତେ ବିରୋଧ କରିଥିଲେ । ଏହାକୁ ନେଇ ଦୀର୍ଘ ସମୟ ଧରି କମିଶନର ଓ ପୋଲିସ ସହ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିରହିଥିଲା । ଏପରିକି ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା । ଉତ୍ତେଜନାକୁ ଦୃଷ୍ଚିରେ ରଖି ଟାଉନ ଥାନା ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତ୍ତୟନ କରାଯାଇଥିଲା । ଗୃହ ନିର୍ମାଣ କରିଥିବା ମହିଳା ଜଣଙ୍କ ଦୀର୍ଘ ୨୦ ବର୍ଷରୁ ଅଧିକ ସେହି ବସ୍ତି ରହି ଆସୁଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଘର ତିଆରି କରିଥିବା ବେଳେ ସେ ସେହି ସ୍ଥାନ ଛାଡ଼ିଯିବେ ନାହିଁ ଓ ଘର ଉଚ୍ଛେଦ କରିବାକୁ ଦେବେ ନାହିଁ ବୋଲି କହିଛନ୍ତି ।

ଅପରପକ୍ଷରେ ନିଗମ ସ୍ଥାନୀୟ କର୍ପୋରେଟରଙ୍କ ମତାମତ ନେଇନଥିବା ବେଳେ ମହିଳା ଜଣଙ୍କୁ ଜାଗା ମିଶନରେ ସାମିଲ କରିବା ଲାଗି ଦାବି ହୋଇଛି । ଏହା ସହ ବ୍ରହ୍ମପୁର ମହାନଗର ନିଗମରେ କିଛି ଦିନ ହେବେ କିଛି କର୍ପୋରେଟର ରାମଲିଙ୍ଗମ ପାର୍କ ଟଙ୍କା ପୈଠକୁ ନେଇ ସ୍ୱର ଉଠାଇଥିବା ବେଳେ ଏହାର ଆକ୍ରୋଶରେ ନିଗମ କର୍ତ୍ତୃପକ୍ଷ ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ କର୍ପୋରଟର । ଏନେଇ Bemc କାଉନସିଲ ବୈଠକରେ ଏହି ଘଟଣାକୁ ଉଠାଇବାକୁ ସେ ଦାବି କରିଛନ୍ତି । ଲୋକେ ଜବରଦଖଲ କରିଥିବା ଅଞ୍ଚଳରେ ପର୍ଯ୍ୟାୟକ୍ରମେ ଉଚ୍ଛେଦ କରାଯାଉଥିବା ବେଳେ ଏହି ସ୍ଥାନରେ ମଧ୍ୟ ଜରବଦଖଲ ହୋଇଥିବା ନେଇ ତହସିଲଦାର ଚିହ୍ନଟ କରିବା ପରେ ଉଚ୍ଛେଦ କରାଯାଉଥିବା କହିଛନ୍ତି ନିଗମର କମିଶନର । ତେବେ ବର୍ଷା ଯୋଗୁଁ ଏହାକୁ ଉଚ୍ଛେଦ କରାଯାନଥିବା ବେଳେ ଏନେଇ ବ୍ରହ୍ମପୁର ମହାନଗର ନିଗମ ନିଷ୍ପତି ନେବ ବୋଲି ମହାନଗର ନିଗମର କମିଶନର କହିଛନ୍ତି ।