fbpx

କଳା, ବାଣିଜ୍ୟ ଓ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ପରିବେଶ ସୁରକ୍ଷା ପାଠ ବାଧ୍ୟତାମୂଳକ: ମାର୍ଗଦର୍ଶିକା ଜାରି କଲା UGC

ନୂଆଦିଲ୍ଲୀ: ଦେଶରେ ଶିକ୍ଷା କ୍ଷେତ୍ରର ଅଗ୍ରଗତି ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଅନେକ ସମୟରେ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଇଥାଏ । ତେବେ ଆଗକୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟରେ ପରିବେଶ ସମ୍ପର୍କିତ ଶିକ୍ଷାକୁ ବାଧ୍ୟତାମୂଳକ କରାଯିବ । ସମସ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକ ଏ ବାବଦରେ ଯତ୍ନଶୀଳ ହେବାକୁ ପରାମର୍ଶ ଦିଆଯାଇଛି । ଏ ବାବଦରେ ୟୁଜିସି ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି ।

ତେବେ ସୂଚନା ମୁତାବକ, କଳା, ବାଣିଜ୍ୟ, ବିଜ୍ଞାନ ଓ ଅନ୍ୟ ବର୍ଗରେ ସ୍ନାତକ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଦ୍ୱିତୀୟ ସେମିଷ୍ଟରରେ ଏହି ପାଠ୍ୟକ୍ରମ ପଢ଼ିବେ । ଚଏସ ବେସଡ୍ କ୍ରେଡିଟ ସିଷ୍ଟମ (ସିବିସିଏସ) ସିଷ୍ଟମ ଅନୁସାରେ ଛାତ୍ରଛାତ୍ରୀଙ୍କ ପାଇଁ ୪ଟି ପଏଣ୍ଟ ରହିବ ଓ ଏଥିରେ ୮ଟି ୟୁନିଟ୍ ରହିବ । ଉଭୟ ପ୍ରାକ୍ଟିକାଲ ଓ ଥିଓରୀ ସିଷ୍ଟମରେ ପରୀକ୍ଷାରେ ସ୍ଥାନ ପାଇବ । ଛାତ୍ରଛାତ୍ରୀମାନେ ପ୍ରଦୂଷଣର କାରଣ, ଜଙ୍ଗଲ କ୍ଷୟ, ବର୍ଜ୍ୟବସ୍ତୁ ମ୍ୟାନେଜମେଣ୍ଟ, ପରିବେଶ ସୁରକ୍ଷା, ଓଜୋନ ସ୍ତରର ହ୍ରାସ ଆଦି ବିଭିନ୍ନ ସମସ୍ୟା ଉପରେ ଆଧାରିତ ବିଷୟରେ ଅଧ୍ୟୟନ କରିବେ ।

ଗତ ୨୦୧୭ରେ ୟୁଜିସି ପକ୍ଷରୁ ସିବିସିଏସ ଅଧିନରେ ଆବିଲିଟି ଏହାନ୍ସମେଣ୍ଟ କମ୍ପଲସରି କୋର୍ସ (ଏଇସିସି- ପରିବେଶ ଶିକ୍ଷା) ଉପରେ ୮ ୟୁନିଟ ମଡୁଲର ସିଲାବସ୍ ପ୍ରସ୍ତୁତ କରାଯାଇଥିଲା । ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ପରିବେଶ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ୟୁଜି ଓ ପିଜି ଛାତ୍ରଛାତ୍ରୀ ସାଇବର ସୁରକ୍ଷା ପାଠ ପଢ଼ିବା ନେଇ ଗତ ମାସରେ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜକୁ ୟୁଜିସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ।

Get real time updates directly on you device, subscribe now.