fbpx

EPFO ଟ୍ରାନ୍ସଫର କରିବ ୧୦୦ କୋଟିର ଫଣ୍ଡ, ଜାଣନ୍ତୁ କେଉଁମାନେ ଏଥିରେ ହେବେ ଉପକୃତ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପକ୍ଷରୁ ଏକ ନୂଆ ଅପଡେଟ୍ ଆସିଛି । ଏହାଦ୍ୱାରା ଲକ୍ଷ ଲକ୍ଷ ଭାରତୀୟ ନାଗରିକ ବିଶେଷ ଭାବେ ଉପକୃତ ହେବେ ବୋଲି ଜଣାପଡ଼ିଛି । ସୂଚନା ମୁତାବକ, ବର୍ତ୍ତମାନ ଇପିଏଫଓ ନିକଟରେ ୫୮ ହଜାର କୋଟିରୁ ଅଧିକ ଅର୍ଥ ପଡ଼ିରହିଛି । ଏହି ଅର୍ଥର କେହି ଦାବିଦାର ନଥିବାରୁ ସେଥିରୁ ୧୦୦ କୋଟି ଟଙ୍କା ଟ୍ରାନ୍ସଫର କରାଯିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ତେବେ ଉକ୍ତ ଅଣଦାବିକୃତ ଫଣ୍ଡକୁ ବରିଷ୍ଠ ନାଗରିକ କଲ୍ୟାଣ ପାଣ୍ଠି (ଏସସିଡବ୍ଲ୍ୟୁଏଫ)କୁ ସ୍ଥାନାନ୍ତର କରାଯିବା ନେଇ ଗତ ୨୦୧୫ ମସିହାରେ କେନ୍ଦ୍ର ସରକାର ଏକ ନିର୍ଦ୍ଦେଶନାମା ଜାରି କରିଥିଲେ ।

ତେବେ ଜଣାପଡ଼ିଛି ଯେ, ଆସନ୍ତା ୧୦ ତାରିଖରେ ଇପିଏଫଓର ସେଣ୍ଟ୍ରାଲ ବୋର୍ଡ ମିଟିଂ ବସିବାକୁ ଯାଉଛି । ଉକ୍ତ ବୈଠକରେ ଜନସାଧାରଣଙ୍କ ହିତସାଧନ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ । ଇପିଏଫ, ପିପିଏଫ ଓ ଅନ୍ୟ କ୍ଷୁଦ୍ର ଜମା ସ୍କିମରେ ପଡ଼ିଥିବା ଅର୍ଥ ୭ ବର୍ଷ ପରେ ଏସସିଡବ୍ଲ୍ୟୁଏଫକୁ ଚାଲିଯିବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଥିଲା । ମାତ୍ର ଏହି ଅର୍ଥ ବର୍ତ୍ତମାନ ସୁଦ୍ଧା ଇପିଏଫଓ ପାଖରେ ପଡ଼ି ରହିଛି ।

ଏ ବାବଦରେ ଅର୍ଥ ନିବେଶ ଓ ଅଡିଟ୍ କମିଟର ଜଣେ ସଦସ୍ୟ କହିଛନ୍ତି ଯେ, କୌଣସି ଦାବିଦାର ନଥିବା ଏହି ଫଣ୍ଡକୁ ସ୍ଥାନାନ୍ତର କରିବା ପ୍ରସ୍ତାବକୁ ଟ୍ରେଡ ୟୁନିୟନ ବିରୋଧ କରିବାର ସମ୍ଭାବନା ରହିଛି । ତେଣୁ ଏହି ଅର୍ଥର କିଛି ଅଂଶ ଏସସିଡବ୍ଲ୍ୟୁଏଫକୁ ସ୍ଥାନାନ୍ତର କରିବା ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଆଧାର କରି ବିଚାର କରାଯିବ । ଗତ ୨୦୨୦-୨୧ରେ ଇପିଏଫର ସୁଧ ହାର ୮.୫ ପ୍ରତିଶତ ରହିଥିବା ବେଳେ ୟୁକ୍ରେନ-ରୁଷିଆ ଯୁଦ୍ଧ ପାଇଁ ୮.୩୫-୪୫କୁ ହ୍ରାସ ପାଇଛି । ସୂଚନାଯୋଗ୍ୟ ଯେ, ଏସସିଡବ୍ଲ୍ୟୁଏଫ ମାଧ୍ୟମରେ ଦାରିଦ୍ୟ ସୀମାରେଖା ତଳେ (ବିପିଏଲ) ଥିବା ବରିଷ୍ଠ ନାଗରିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ରୋଜଗାର ହରାଇଥିବା ବରିଷ୍ଠ ନାଗରିକଙ୍କ ହିତସାଧନ ପାଇଁ ଭାରତ ସରକାର ଏହି ସ୍କ୍ରିମର ଶୁଭାରମ୍ଭ କରିଥିଲେ ।

Get real time updates directly on you device, subscribe now.