fbpx

EV ବ୍ୟାଟେରୀ ଚାର୍ଜର ବିକ୍ରି ନେଇ ବଡ଼ ଠକେଇ: ୧ ଲକ୍ଷ ଗ୍ରାହକଙ୍କୁ ୧୩୦ କୋଟି ଟଙ୍କା ଫେରାଇବ କମ୍ପାନୀ

Advertisement

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ପେଟ୍ରୋଲ ଦାମ୍ ବଢ଼ିବାରେ ଲାଗିଥିବା ବେଳେ ଜନସାଧାରଣ ଏବେ ଇଲେକ୍ଟ୍ରି ଚାଳିତ ଯାନ (ଇଭି) ଆଡ଼କୁ ଅଧିକ ମାତ୍ରାରେ ଆକୃଷ୍ଟ ହେଉଛନ୍ତି । ଇଭି କିଣିବା ପାଇଁ କେନ୍ଦ୍ର ସରକାର ମଧ୍ୟ ଲୋକଙ୍କୁ ଅନେକ ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି । ଏଥିପାଇଁ ନିୟମ ଲାଗୁ କରାଯିବା ସହ ଇଭି ନିର୍ମାଣ କରୁଥିବା କମ୍ପାନୀ ଓ ଗ୍ରାହକଙ୍କୁ ସରକାରଙ୍କ ତରଫରୁ ସବସିଡି ପ୍ରଦାନ ଦିଆଯାଉଛି । ଫଳରେ ଦେଶରେ ଏବେ ଅଧିକ ମାତ୍ରାରେ ଲୋକ ଇଭି କିଣୁଥିବା ଦେଖାଯାଉଛି ।

ତେବେ ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ହେରଫେର ଘଟଣା । ଲୋକମାନେ ବହୁଳ ମାତ୍ରାରେ ଇଭି କିଣୁଥିବା ବେଳେ ଏହି ପରିପ୍ରେକ୍ଷୀରେ କମ୍ପାନୀମାନେ ଗ୍ରାହକଙ୍କୁ ଠକିବାରେ ଲାଗିଥିବା ନେଇ ଅଭିଯୋଗ ହୋଇଛି । ସରକାର କମ୍ପାନୀମାନଙ୍କୁ ସବସିଡି ପ୍ରଦାନ କରୁଥିବା ବେଳେ କମ୍ପାନୀମାନେ ଗ୍ରାହକଙ୍କ ଠାରୁ ବିଭିନ୍ନ ପ୍ରକାରର ଚାର୍ଜ ଆଦାୟ କରୁଥିବା ଜଣାପଡ଼ିଛି । ତେଣୁ ଏହି ଘଟଣା ସାମ୍ନାକୁ ଆସିବା ପରେ କେନ୍ଦ୍ର ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ତଦନ୍ତ ଆରମ୍ଭ କରଯିବା ସହ ଗ୍ରାହକଙ୍କୁ ଅତିରିକ୍ତ ଅର୍ଥ ଫେରସ୍ତ କରିବାକୁ କୁହାଯାଇଛି ।

ସୂଚନା ମୁତାବକ, ଓଲା କମ୍ପାନୀ ଏଭଳି ଠକେଇ କରିଥିବା ଜଣାପଡ଼ିଛି । ବ୍ୟାଟେରୀ ଚାର୍ଜର ପାଇଁ କମ୍ପାନୀ ଟଙ୍କା ନେବା କଥା ନୁହେଁ ବୋଲି ନିୟମ ରହିଛି । ମାତ୍ର କମ୍ପାନୀ ଏଥିପାଇଁ ଗ୍ରାହକଙ୍କଠାରୁ ଟଙ୍କା ନେଇଥିଲା । ତେଣୁ ଏହି ଚାର୍ଜର ବାବଦ ଅତିରିକ୍ତ ଅର୍ଥ ଗ୍ରାହକଙ୍କୁ ଫେରସ୍ତ କରିବାକୁ ସରକାରଙ୍କ ତରଫରୁ କୁହାଯାଇଛି । ରିପୋର୍ଟ ମୁତାବକ, ଗତ ୨୦୧୯-୨୦ ଠାରୁ ୨୦୨୩ ମାର୍ଚ୍ଚ ୩୦ ମଧ୍ୟରେ ଯେଉଁମାନେ ଓଲା ଏସ-୧ ପ୍ରୋ ମଡେଲ କିଣିଥିବେ, ସେମାନଙ୍କୁ କମ୍ପାନୀ ଅତିରିକ୍ତ ଟଙ୍କା ଫେରାଇବ ।

ତେବେ ଏଭଳି ସ୍ଥିତିରେ କମ୍ପାନୀ ୧ ଲକ୍ଷ ଗ୍ରାହକଙ୍କୁ ୧୩୦ କୋଟି ଟଙ୍କା ଫେରସ୍ତ କରିବ । ଓଲା ସମେତ ୪ଟି କମ୍ପାନୀ ସେମାନଙ୍କର ସ୍କୁଟରର ଦାମ୍ କମ୍ ରଖି ଅଧିକ ଅଧିକ ସବସିଡି ଦାବି କରୁଥିବା ଅଭିଯୋଗ ହୋଇଛି । ଚାର୍ଜର ଓ ସଫ୍ଟୱେର ନାମରେ ଗ୍ରାହକଙ୍କ ଠାରୁ କମ୍ପାନୀ ଅଧିକ ଅର୍ଥ ଆଦାୟ କରୁଛି । ତେବେ କମ୍ପାନୀ ଚାର୍ଜର ମୂଲ୍ୟ ଫେରସ୍ତ କରିବାକୁ ପ୍ରସ୍ତୁତ ଥିବା ଓଲା ପକ୍ଷରୁ କୁହାଯାଇଛି । ଓଲା ବ୍ୟତୀତ ହିରୋ ମୋଟୋକର୍ପ, ଟିଭିଏସ ମୋଟର ଓ ଆଥର ଏନର୍ଜି ମଧ୍ୟ ଏହି ଘଟଣାରେ ଜଡ଼ିତ ରହିଥିବା ସରକାରଙ୍କ ସନ୍ଦେହ ଦୃଢ଼ୀଭୂତ ହୋଇଛି ।

Get real time updates directly on you device, subscribe now.