ନିଟ୍ କ୍ୱାଲିଫାଇ ପରେ ମଧ୍ୟ ଭାଙ୍ଗିଗଲା ଡାକ୍ତର ହେବା ସ୍ୱପ୍ନ… ଦିନେ ଥିଲେ ମିସ୍ ଡେରାଡୁନ୍ ଆଜି ଜଣେ IAS ଅଫିସର

ନୂଆଦିଲ୍ଲୀ: କଥାରେ ଅଛି ଗୋଟିଏ ଦିନରେ ସଫଳତା ମିଳିନଥାଏ । ପ୍ରତ୍ୟେକ ପରାଜୟ ସଫଳତା ପାଖକୁ ପହଞ୍ଚିବାର ଏକ ମାଧ୍ୟମ ପାଲଟିଥାଏ । ଏଥିପାଇଁ ନିରନ୍ତର ପ୍ରୟାସ ଓ ଧୈର୍ଯ୍ୟ ଆବଶ୍ୟକ । ଆଜି ଆମେ ଏଭଳି ଜଣେ ମହିଳାଙ୍କ ବିଷୟରେ କହିବୁ ଯିଏକି ମଡେଲିଂ କ୍ୟାରିୟର ଛାଡ଼ି ଆଇଏଏସ୍ ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବ୍ୟୁଟି ୱିଥ୍ ବ୍ରେନ୍ ଥିବା ଏହି ମହିଳା ଜଣଙ୍କ ହେଉଛନ୍ତି ଉତ୍ତରାଖଣ୍ଡ ଡେରାଡୁନର ତସ୍କିନ୍ ଖାନ୍ ।

ଆଜିକାଲି ସିଭିଲ ସର୍ଭିସ ପରୀକ୍ଷା ଦେବା ଅଧିକାଂଶ ବ୍ୟକ୍ତି ବିଶେଷ କରି ଯୁବପିଢ଼ିଙ୍କ କ୍ରେଜ୍ ପାଲଟିଛି । ଏହା କଠିନ୍ ପରୀକ୍ଷା ମଧ୍ୟରୁ ଅନ୍ୟତମ । ଆଇଏଏସ୍ ଲକ୍ଷ ହାସଲ କରିବା ସମସ୍ତଙ୍କ ପକ୍ଷେ ସମ୍ଭବପର ନଥାଏ । ତସ୍କିନ୍ ଖାନଙ୍କ ପାଇଁ ମଧ୍ୟ ଆଇଏଏସ୍ ଯାତ୍ରା ଏତେ ସହଜ ନଥିଲା । ବାସ୍ତବରେ ତସ୍କିନ୍ ଜଣେ ମେଡିକାଲ କ୍ଷେତ୍ରରେ କ୍ୟାରିୟର ଗଠନ କରିବାକୁ ଚାହୁଁଥିଲେ । ଏଥିପାଇଁ ସେ ନୀଟ୍ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲେ । ମେଡିକାଲ ପାଠପଢ଼ା ମହଙ୍ଗା ଅଟେ ଏବଂ ଘରର ଅର୍ଥିକ ପରିସ୍ଥିତି ଏଥିପାଇଁ ବାଧକ ସାଜିଥିଲା । ଫଳରେ ତସ୍କିନଙ୍କ ଡାକ୍ତର ହେବା ସ୍ୱପ୍ନ ଅଧା ରହିଯାଇଥିଲା । ଏହା ପରେ ସେ ମଡେଲିଂ ଦୁନିଆରେ ପାଦ ଥାପିଥିଲେ । ଜଣେ ପ୍ରଫେସନାଲ ମଡେଲ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ତସ୍କିନ୍ । ପରବର୍ତ୍ତୀ ସମୟରେ କିନ୍ତୁ ସେ ମଡେଲିଂ ଛାଡ଼ି ଆଇଏଏସ୍ ହେବାର ସ୍ୱପ୍ନ ଦେଖିଥିଲେ । ଏଥିପାଇଁ ସେ ଦିନ ରାତି ପରିଶ୍ରମ କରିଥିଲେ । ୟୁପିଏସସି ପରୀକ୍ଷାରେ ସେ ୩ ଥର ଅସଫଳ ହୋଇଥିଲେ । ଏହା ସତ୍ତେ୍ୱ ସେ କେବେ ହାର ମାନି ନଥିଲେ । ୨୦୨୨ରେ ୟୁପିଏସସି ପରୀକ୍ଷରେ ଉତ୍ତୀର୍ଣ୍ଣ ହୋଇ ୭୩୬ ରେଙ୍କ ହାସଲ କରିଥିଲେ । ସେ ମୁମ୍ବାଇରେ ରହି ୟୁପିଏସସି ପ୍ରସ୍ତୁତି କରୁଥିଲେ । ପରେ ୨୦୨୦ରେ ଦିଲ୍ଲୀ ଜାମିଆ ବିଶ୍ୱବିଦ୍ୟାଳୟରେ ମାଗଣା ପ୍ରବେଶିକା ପରୀକ୍ଷା ମାଧ୍ୟମରେ କୋଚିଂ ନେଇଥିଲେ ।

ତସ୍କିନ୍ ଜଣେ ବାସ୍କେଟ୍ ବଲ୍ ଚମ୍ପିଆନ୍ ସହ ଜାତୀୟ ସ୍ତରୀୟ ବିତର୍କକାରୀ(ଡିବେଟର) ମଧ୍ୟ । ନିଜ ସୌନ୍ଦର୍ଯ୍ୟ ଏବଂ ବୁଦ୍ଧି ଯୋଗୁଁ ସେ ୨୦୧୬-୧୭ରେ ମିସ୍ ଉତ୍ତରାଖଣ୍ଡ ଏବଂ ମିସ୍ ଡେରାଡୁନ୍ ମୁକୁଟ ପିନ୍ଧିଥିଲେ । ସେ ମିସ୍ ଇଣ୍ଡିଆ ବ୍ୟୁଟି ପେଜେଣ୍ଟରେ ମଧ୍ୟ ଅଂଶଗ୍ରହଣ କରିଥାନ୍ତେ କିନ୍ତୁ ପିତାଙ୍କ ଅସୁସ୍ଥତା କାରଣରୁ ତାଙ୍କୁ ନିଷ୍ପତ୍ତି ବଦଳାଇବାକୁ ପଡ଼ିଥିଲା । ଜୀବନରେ ଲକ୍ଷ୍ୟ ହାସଲ କରିବାର ଜିଦ୍ ଥିଲେ କିଛି ବି ଅସମ୍ଭବ ନୁହେଁ । ଦୃଢ଼ ଇଚ୍ଛା ଶକ୍ତି ଓ ଅଧ୍ୟାବସାୟ ସବୁବେଳେ ବ୍ୟକ୍ତିକୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥାଏ ।