ମାନିଲେନି ବନ୍ୟା, ଉବୁଟୁବୁ ପାଣି ଭିତରେ ବର କନିଆଁଙ୍କ ପଡ଼ିଲା ହାତଗଣ୍ଠି

ଓଡ଼ିଶାଭାସ୍କର: ମାନିଲେନି ବଢ଼ି ପାଣି। ଆଣ୍ଠୁଏ ପାଣି ଭିତରେ ବର କନିଆଁଙ୍କ ପଡ଼ିଲା ହାତଗଣ୍ଠି। ଉଛୁଳା ପାଣି ଭିତରେ ସାତ ଜନ୍ମର ସାଥୀ ହେଲେ ନବ ଦମ୍ପତ୍ତି। ଆଉ ସାଥୀରେ ଥିଲେ ଉଭୟଙ୍କ ପରିବାର ଲୋକ।

ହଁ ଆଜ୍ଞା କୁହାଯାଏ ପ୍ରେମ ମାନେ ନା କୌଣସି ବାଧା ବନ୍ଧନ। ସେହିପରି ଏବେ ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଯେଉଁଠାରେ ବାହାଘର ମଣ୍ଡପରେ ଢେଉ ମାରୁଛି ପାଣି। ହେଲେ ବନ୍ଦ ହୋଇନି ବାହାଘର।

ଉବୁଟୁବୁ ପାଣି ଭିତରେ ବାହାଘର:  ଦୃଶ୍ୟଟି ହେଉଛି ଫିଲିପାଇନ୍ସର। ଯେଉଁଠାରେ ଏକ ରାଜକୀୟ ବାହାଘର ନୁହେଁ ବରଂ ସାହସ ଏବଂ ପ୍ରକୃତ ପ୍ରେମର ଉଦାହରଣ ସାଜିଛି ଏହି ମିଳନ।

ଜୁଲାଇ ୨୨ ତାରିଖରେ ଜେଡ୍ ରିକ୍ ଭର୍ଡିଲୋ ଏବଂ ଜାମାଇକା ଆଗୁଇଲାର ପ୍ରବଳ ବନ୍ୟା ପରିସ୍ଥିତି ମଧ୍ୟରେ ବିବାହ କରିଥିଲେ। ଚାରିଆଡେ ଜଳମଗ୍ନ ହୋଇଯାଇଥିଲା। ଏପରିକି ଚର୍ଚ୍ଚ ଭିତରେ ମଧ୍ୟ ଆଣ୍ଠୁଏ ଉଚ୍ଚାର ପାଣି ଲହଡ଼ି ଭାଙ୍ଗିଥିଲା। ହେଲେ ବାହାଘର ବନ୍ଦ ହୋଇନଥିଲା।

ପ୍ରେମର ପ୍ରତିଜ୍ଞାକୁ ରୋକି ପାରିଲାନି ବନ୍ୟା: ବନ୍ୟା ଯୋଗୁଁ ଚର୍ଚ୍ଚ ଜଳମଗ୍ନ ହୋଇଯାଇଥିଲା।  କିନ୍ତୁ ବର କନିଆଁ ଓଦା ହୋଇ ମଧ୍ୟ ନିଜ ବାହାଘରକୁ ବନ୍ଦ କରିନଥିଲେ। ବରଂ ସାତ ଜନ୍ମର ସାଥୀ ହୋଇ ଚାଲିବାକୁ ନେଇଥିବା ନିଷ୍ପତ୍ତିକୁ ପୂରଣ କରିଥିଲେ।

ବର ଜେଡ୍ ବର ପୋଷାକ ପିନ୍ଧି ଆଣ୍ଠୁଏ ପାଣି ଭିତରେ ତାଙ୍କ କନିଆଁ ଜାମାଇକାଙ୍କୁ ଅପେକ୍ଷା କରିଥିଲେ।  ଏବଂ ଜାମାଇକା ମଧ୍ୟ ଆଣ୍ଠୁଏ ପାଣି ଭିତରେ ପସି ନିଜ ଜୀବନ ସାଥୀଙ୍କ ପାଖକୁ ଆସିଥିଲେ।

ପାଣି ଭିତରେ ବାହାଘର: ଜେଡ୍ କହିଥିଲେ ଆମେ ସାହସ ଜୁଟାଇ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲୁ। ଏହି ଦିନଟି ଆମ ପାଇଁ ବୋହୁତ ମୂଲ୍ୟବାନ। ଆଉ ଯଦି ଏହି ବାହାଘର ଆମେ ସ୍ଥିଗତ ରଖିଥାନ୍ତୁ ତାହାଲେ ଆମକୁ ଆଗକୁ ବୋହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାନ୍ତା।

ତେବେ ସେ ଯାହା ହେଉନା କାହିଁକି ଏବେ ସୋସିଆଲ ମିଡ଼ିଆରେ ଏହି ବାହାଘରର ଫଟୋ ଏବଂ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।  ଯେଉଁଥିରେ ଜଣେ ୟୁଜର ଲେଖିଛନ୍ତି ଭାବନ୍ତୁ ଯଦି, ଏତେ ପ୍ରବଳ ବର୍ଷାରେ ବିବାହ କରି ସେମାନେ ଏତେ ସୁନ୍ଦର ଦେଖିଯାଉଛନ୍ତି ତାହାଲେ ଶୁଖିଲା ପାଗରେ କେତେ ସୁନ୍ଦର ଦେଖାଯାଇନଥାନ୍ତେ।