fbpx

ଫାଇନାଲ ମ୍ୟାଚରେ ଚିତପଟାଙ୍ଗ ମାରିଲା ପୂର୍ବତନ ଚମ୍ପିଆନ୍ ଶ୍ରୀଲଙ୍କା: ମାତ୍ର ୫୧ ରନ ମିଳିଲା ଟାର୍ଗେଟ

ନୂଆଦିଲ୍ଲୀ: ଏସିଆ କପ୍ ଫାଇନାଲ ମ୍ୟାଚରେ ଭାରତର ଗାତକ ବୋଲିଂ ଆଗରେ ଫେଲ ମାରିଛି ପୂର୍ବତନ ଚମ୍ପିଆନ୍ । ଭାରତର ପେସ୍ ଆଟାକ୍ ସାମ୍ନାରେ ସମ୍ପୂର୍ଣ୍ଣ ଦଳ ମାତ୍ର ୫୦ ରନ୍ କରିବାରେ ସମର୍ଥ ହୋଇ ପାରିଛି । ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସଠିକ ବୋଲିଂ ଶ୍ରୀଲଙ୍କାକୁ ମାତ୍ର ୫୦ ରନରେ ହିଁ ଅଟକାଇ ଦେଇଛି । ମହମ୍ମଦ ସିରାଜ ଏହି ମ୍ୟାଚରେ ସର୍ବାଧିକ ୬ଟି ୱିକେଟ ହାସଲ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ୱିକେଟ ଅକ୍ତିଆର କରିଛନ୍ତି । ଏହାବ୍ୟତୀତ ଜଶପ୍ରୀତ ବୁମରାହ ଗୋଟିଏ ୱିକେଟ ନେଇ ଶ୍ରୀଲଙ୍କାକୁ ୫୦ରନ ଭିତରେ ଅଲଆଉଟ କରିବାରେ ସମର୍ଥ ହୋଇଛି ଟିମ ଇଣ୍ଡିଆ ।

ଏସିଆ କପ୍ ଫାଇନାଲ ମ୍ୟାଚରେ ପ୍ରଥମେ ବର୍ଷା ହେବା ପରେ ଟିମ ଇଣ୍ଡିଆର ଝଡ଼ ଦେଖିବାକୁ ମିଳିଛି । ଏହି ଝଡ଼ ସାମ୍ନାରେ ତିଷ୍ଠି ପାରିନି ଏସିଆ କପର ପୂର୍ବତନ ବିଜେତା ତଥା ଘରୋଇ ଦଳ ଶ୍ରୀଲଙ୍କା । ସିରାଜ ଏବଂ ହାର୍ଦ୍ଦିକଙ୍କ ଘାତକ ବୋଲିଂରେ ଭାରତକୁ ମାତ୍ର ୫୧ ରନର ଟାର୍ଗେଟ ଦେଇଛି ପୂର୍ବତନ ଟାଇଟଲ ବିଜେତା ଶ୍ରୀଲଙ୍କା । ଘରୋଇ ପଡ଼ିଆରେ ମଧ୍ୟ ୫୦ ରନରେ ଅଲ ଆଉଟ ହୋଇ ପାଭିଲିୟନ ପେରିଛି ସମ୍ପୂର୍ଣ୍ଣ ଦଳ । ତେବେ ଦଳ ତରଫରୁ କୁସଲ ମେଣ୍ଡିସ ୧୭ ରନ କରିଥିବା ବେଳେ ଦୁସନ ହେମନ୍ଥା ୧୩ ରନ କରିବାରେ ସଫଳ ହୋଇଛନ୍ତି । ତାଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନାହାନ୍ତି ଏବଂ ମୋଟ ୫ ଜଣ ଖେଳାଳି ଖାତା ଖୋଲିବା ପୂର୍ବରୁ ହିଁ ପାଭିଲିୟନ ଫେରିଛନ୍ତି ।

ଏସିଆ କପ୍ ଫାଇନାଲ ମ୍ୟାଚରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଶ୍ରୀଲଙ୍କା ଅଧିନାୟକ ଦାସୁନ ଶନାକା । କିନ୍ତୁ ତାଙ୍କର ଏହି ନିଷ୍ପତ୍ତି ଦଳ ପାଇଁ ଖୁବ ମହଙ୍ଗା ପଡ଼ିଛି । ମାତ୍ର ୫ ଓଭରରେ ୧୭ ରନ୍ ଭିତରେ ଶ୍ରୀଲଙ୍କା ୬ ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇଥିଲା । ପ୍ରଥମ ଓଭରର ତୃତୀୟ ବଲରେ କୁସଲ ପେରେରାଙ୍କ ୱିକେଟ ନେଇ ଜଶପ୍ରୀତ ବୁମରାହ ଶ୍ରୀଲଙ୍କାକୁ ପ୍ରଥମ ଝଟକା ଦେଇଥିବା ବେଳେ ଚତୁର୍ଥ ଓଭରରେ ମହମ୍ମଦ ସିରାଜ ଘାତକ ବୋଲିଂ କରିଛନ୍ତି । ଏହି ଗୋଟିଏ ଓଭରରେ ଶ୍ରୀଲଙ୍କା ଏକାସାଙ୍ଗରେ ୪ ଜଣ ଖେଳାଳିଙ୍କୁ ହରାଇଥିଲା । ଏହାପରେ କୁସଲ ମେଣ୍ଡିସ ୱେଲାଲାଗେ ଏବଂ ଦୁସନ ହେମନ୍ଥାଙ୍କ ସହ ପାଳି ସମ୍ଭାଳିବାକୁ ଚେଷ୍ଟା କରୁଥିବା ବେଳେ ହାର୍ଦ୍ଦିକ ଝଟକା ପରେ ଝଟକା ଦେଇ ଶ୍ରୀଲଙ୍କାକୁ ଅଲ ଆଉଟ କରିଛନ୍ତି । ମହମ୍ମଦ ସିରାଜଙ୍କ ଫାଇଫର ପରେ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ୱିକେଟ ନିଜ ନାମରେ କରିଛନ୍ତି । ତେବେ ଭାରତ ଆଗରେ ବର୍ତ୍ତମାନ ଚମ୍ପିଆନ ହେବା ପାଇଁ ମାତ୍ର ୫୧ ରନର ଟାର୍ଗେଟ ଦେଇଛି ଘରୋଇ ଦଳ ଶ୍ରୀଲଙ୍କା ।

Get real time updates directly on you device, subscribe now.