OAS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୯ା୩: ଓଡ଼ିଶା ସରକାର ଶନିବାର OAS ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ମୃଣାଳ କାନ୍ତି ଦାସଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ ) ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି ସରକାର। ସେ ପୂର୍ବରୁ ଏନଏଚଏମ ଭୁବନେଶ୍ବରର ଅତିରିକ୍ତ ନିର୍ଦ୍ଦେଶକ ଥିଲେ।

ସେହିପରି ରାଜସ୍ୱ ବୋର୍ଡର ସ୍ୱତନ୍ତ୍ର ସଚିବ ବୀରେନ୍ଦ୍ର କୋରକୋରାଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଭାବରେ ବଦଳି କରାଯାଇଛି। ଏହା ସହିତ, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ମନୋରଞ୍ଜନ ମଲ୍ଲିକଙ୍କୁ ଜିଏ ଏବଂ ପିଜି ବିଭାଗର ସ୍ୱତନ୍ତ୍ର ସଚିବ ଭାବରେ ବଦଳି କରାଯାଇଛି। ଝାରସୁଗୁଡ଼ାର ଜିଲ୍ଲା ପରିଷଦର ସିଡିଓ କମ୍ ଇଓ ପ୍ରବୀର କୁମାର ନାୟକଙ୍କୁ ରାଜସ୍ୱ ବୋର୍ଡର ସଦସ୍ୟ ଅଧୀନରେ ଅତିରିକ୍ତ କମିଶନର ଭାବେ ନିଯୁକ୍ତି ଦିଆଯାଇଛି।

ସୂଚନା ଥାଉକି, କିଛିଦିନ ତଳେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ  ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ସୁଶାନ୍ତ କୁମାର ମିଶ୍ରଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ବଦଳି କରାଯାଇଛି।
ସେହିପରି ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କରଙ୍କୁ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବାବେଳେ ସିଇଓ କାର୍ଯ୍ୟାଳୟର ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶଙ୍କୁ ଇଡ୍‌କୋ ଭୂ-ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି।