ସରକାରୀ ଚାକିରି ପାଇଁ ଜାଲ ସାର୍ଟିଫିକେଟ ରାକେଟର ପର୍ଦ୍ଦାଫାସ, ୱେବସାଇଟରେ ପ୍ରାର୍ଥୀଙ୍କ ନାଁ ଜାରି କଲା ବୋର୍ଡ଼

ଜୟପୁର: ରାଜସ୍ଥାନରେ ସରକାରୀ ନିଯୁକ୍ତିକୁ ନେଇ ଠକେଇ ମାମଲା ଥମିବାର ନାଁ ଧରୁନି । ବର୍ତ୍ତମାନ ପର୍ଯ୍ୟନ୍ତ ପେପର ଲିକ୍ ଏବଂ ଡମି ପ୍ରାର୍ଥୀଙ୍କ ମାଧ୍ୟମରେ ପରୀକ୍ଷାରେ ପାସ ହେବା ଭଳି ମାମଲା ସାମ୍ନାକୁ ଆସୁଥିଲା । ବର୍ତ୍ତମାନ ଟ୍ରେଣ୍ଡରେ ପରିବର୍ତ୍ତନ ଦେଖାଦେଇଛି । ଜାଲ ଡିଗ୍ରୀ/ ଡିପ୍ଲୋମା ଦ୍ୱାରା ସରକାରୀ ଚାକିରି ପାଇବାକୁ ଚେଷ୍ଟା କରୁଛନ୍ତି ଅଧିକାଂଶ ପ୍ରାର୍ଥୀ । ନିକଟରେ ଏଭଳି ଏକ ମାମଲାର ଖୁଲାସା ହେବାକୁ ରାଜସ୍ଥାନ କର୍ମଚାରୀ ଚୟନ ବୋର୍ଡ଼ ଶକ୍ତ ପଦକ୍ଷେପ ଗ୍ରହଣ କରିଛି ।

ବାସ୍ତବରେ ରାଜସ୍ଥାନ କର୍ମଚାରୀ ଚୟନ ବୋର୍ଡ଼ ପକ୍ଷରୁ ଫାୟାରମ୍ୟାନ୍ ପୋଷ୍ଟ ପାଇଁ ନିଯୁକ୍ତି ନୋଟିଫିକେସନ୍ ଜାରି କରିଥିଲା । ଏହି ପରୀକ୍ଷାରେ ୬୦୦ ଜଣ ପ୍ରାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୪୦୦ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏନେଇ ସମସ୍ତ ପ୍ରାର୍ଥୀଙ୍କ ଡିଗ୍ରୀ/ଡିପ୍ଲୋମା ଯାଞ୍ଚ ନିମନ୍ତେ ସ୍ୱାୟତ୍ତ ଶାସନ ବିଭାଗ ନିକଟକୁ ଚିଠି ଲେଖିଥିଲା ବୋର୍ଡ଼ । ତେବେ ଏହି ଯାଞ୍ଚ ସମୟରେ ପ୍ରାୟ ୧୫୬ ପ୍ରାର୍ଥୀଙ୍କ ପାଖରେ ଜାଲ ସାର୍ଟିଫିକେଟ ଥିବା ଜଣାପଡ଼ିଥିଲା । ଏହି ପରିପ୍ରେକ୍ଷୀରେ ବୋର୍ଡ଼ ପକ୍ଷରୁ ୧୫୬ ପ୍ରାର୍ଥୀଙ୍କ ନାଁ ଓ ରୋଲ୍ ନମ୍ବର ୱେବସାଇଟରେ ଜାରି କରାଯାଇଥିଲା । ଏହା ସହ ସ୍ପେଶାଲ ଅପରେସନ୍ ଗ୍ରୁପକୁ ଅଧିକ ତଦନ୍ତ ନିମନ୍ତେ ସୂଚନା ଦିଆଯାଇଥିଲା । ଅପରପକ୍ଷରେ ରାଜସ୍ଥାନ କର୍ମଚାରୀ ଚୟନ ବୋର୍ଡ଼ ଅଧ୍ୟକ୍ଷ ଆଲୋକ ରାଜ କହିଥିଲେ, ‘ଫାୟାରମ୍ୟାନ୍ ପଦବୀରେ ଜାଲ ଡିପ୍ଲୋମା/ ଡିଗ୍ରୀ ପ୍ରାର୍ଥୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆମେ ଯୁବକଙ୍କୁ ନିବେଦନ କରୁଛୁ କି ସେମାନେ ଦଲାଲଙ୍କ ଚକ୍କରରେ ନକଲି ସାର୍ଟିଫିକେଟ କିଣି ଚାକିରି କରନ୍ତୁ ନାହିଁ ।’ ଏହି ଦଲାଲମାନେ ଫାୟାରମ୍ୟାନ୍ ପରୀକ୍ଷା ପାଇଁ ଯୁବକଙ୍କୁ ୧୫-୨୦ ହଜାର ଟଙ୍କାରେ ଉପଲବ୍ଧ କରାଉଥିଲେ । ତେବେ କିଛ ଅସଫଳ ପ୍ରାର୍ଥୀ ଏହି ଅନ୍ୟାୟ ବିରୋଧରେ ପ୍ରମାଣ ସଂଗ୍ରହ କରି ବୋର୍ଡ଼କୁ ଦେଇଥିଲେ । ଛୋଟ ପରୀକ୍ଷା ଥିବାରୁ ଯାଞ୍ଚ୍ ସମ୍ଭବପର ହୋଇପାରିଥିଲା । କିନ୍ତୁ ବଡ଼ ବଡ଼ ପରୀକ୍ଷା ସମୟରେ ଅସଲି ସାର୍ଟିଫିକେଟ ଯାଞ୍ଚ୍ କରିବା କଷ୍ଟକର । କହିରଖୁଛୁ ରାଜସ୍ଥାନର ୩ଟି ବିଶ୍ୱବିଦ୍ୟାଳୟ ଏହି ରାକେଟରରେ ସାମିଲ ହୋଇଛି । ଏଥିରେ ସମ୍ପୃକ୍ତ ଥିବା ଅନେକ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥିଲା ।