ପାରିବାରିକ କଳହ: ପତ୍ନୀଙ୍କୁ ହାତୁଡ଼ିରେ ପିଟି କଲେ ହତ୍ୟା, ପରେ ସୁଇସାଇଡ୍ କଲେ ସ୍ୱାମୀ

ଥାନେ, ୧୯ା୨: ମହାରାଷ୍ଟ୍ରରେ ଏକ ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀ ପତ୍ନୀଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ପତ୍ନୀଙ୍କ ସହ ଝଗଡ଼ାକୁ ନେଇ ଚାପଗ୍ରସ୍ତ ହୋଇ ଯୁବକ ଜଣକ ଏହି କାଣ୍ଡ ଭିଆଇଛନ୍ତି । ଯୁବକ ପତ୍ନୀଙ୍କୁ ହାତୁଡ଼ିରେ ମାରି ମାରି ହତ୍ୟା କରିଥିବା ଜଣାପଡ଼ିଛି ।

ପୋଲିସ ସୂଚନା ଅନୁଯାୟୀ, ଥାନେ ଜିଲ୍ଲାର ବାଗଲେ ଏଷ୍ଟେଟ ଥାନା ଅଞ୍ଚଳର ଜଣେ ୨୯ ବର୍ଷୀୟ ଯୁବକ ଆକାଶ ଶମୁଖରା ଏହି କାଣ୍ଡ ଘଟାଇଛନ୍ତି । ପରିବାରରେ ୪ ଜଣ ସଦସ୍ୟ ଏକ ଛୋଟ ଘରେ ରହୁଥିଲେ । ନୂଆ ବିବାହ କରିଥିବା ଆକାଶଙ୍କର ଲକଡାଉନ ସମୟରୁ ପତ୍ନୀଙ୍କ ସହ ନିୟମିତ ଝଗଡ଼ା ହେଉଥିଲା । ପରିବାରଠାରୁ ଅଳଗା ହୋଇ ରହିବାକୁ ନେଇ ଦମ୍ପତ୍ତିଙ୍କ ମଧ୍ୟରେ କଳହ ହୋଇଥିଲା । ଫଳରେ ଆକାଶ କ୍ରୋଧାନ୍ୱିତ ହୋଇ ପତ୍ନୀଙ୍କ ମୁଣ୍ଡକୁ ହାତୁଡ଼ିରେ ଆଘାତ କରିବା ସହ ନିଜେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ । ଏନେଇ ମାମଲା ଦାୟର କରାଯିବା ସହ ପୋଷ୍ଟ ମର୍ଟମ ପରେ ପରିବାରଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।