ପଞ୍ଜାବର ୩ ଯୁବକ, ବାହାରିଲେ ଅଷ୍ଟ୍ରେଲିଆ, ବାଟରେ ହେଲେ କିଡନାପ୍, ପହଞ୍ଚିଲେ ଯାଇ ଇରାନ୍
ମୁଣ୍ଡ ବଦଳରେ କୋଟି କୋଟି ଟଙ୍କା ଡିମାଣ୍ଡ।
ପଞ୍ଜାବ: ପଞ୍ଜାବର ୩ ଭେଣ୍ଡିଆ ପିଲା। ବାହାରିଥିଲେ ଚାକିରି ଆଶାରେ। ଚାକିରି କରିବେ ପରିବାରର ଗୁଜୁରାଣ ମେଣ୍ଟାଇବେ। ହେଲେ ଏବେ ସେମାନଙ୍କୁ କିପରି ଫେରି ପାଇବେ ଚିନ୍ତାରେ ପରିବାର। କାରଣ ଏହି ୩ ଯୁବକ ଅଷ୍ଟ୍ରେଲିଆ ଯିବା ବାଟରେ କିଡନାପ ହୋଇଯାଇଛନ୍ତି। ଆଉ ପହଞ୍ଚିଛନ୍ତି ଇରାନରେ।
ହେଲେ ସେମାନେ ନିଜେ ନିଜେ ଯାଇ ନାହାନ୍ତି। ବରଂ କିଛି ଦଲାଲ ଚାକିରି ଲୋଭ ଦେଖାଇ ଏହି ୩ ଯୁବକଙ୍କୁ ଅପହରଣ କରିନେଇଛନ୍ତି। ଆଉ ସେମାନଙ୍କ ମୁଣ୍ଡ ବଦଳରେ କୋଟି କୋଟି ଟଙ୍କା ପରିବାର ଲୋକଙ୍କ ପାଖରେ ଡିମାଣ୍ଡ ରଖିଛନ୍ତି।
ତେବେ ଏହି ୩ ଯୁବକଙ୍କ ପରିବାରର ଅଭିଯୋଗକ୍ରମେ, ସେମାନେ ପାଖାପାଖି ୧ ତାରିଖରୁ ପରିବାର ଲୋକଙ୍କ ସହ କୌଣସି ଯୋଗା ଯୋଗ କରିନଥିଲେ। କିନ୍ତୁ ୧୧ ଦିନ ପରେ ଅପହରଣ ହୋଇଥିବା ଯୁବକଙ୍କ ପରିବାର ପାଖକୁ ଏକ ଭିଡ଼ିଓ କଲ୍ ଆସିଥିଲା।
ଯେଉଁଥିରେ ଯୁବକମାନଙ୍କ ହାତ ଗୋଡ଼ ବନ୍ଧାଯାଇ ରଖାଯାଇଥିଲା। ଏବଂ ସେମାନଙ୍କ ଦେହରେ କଟା ଦାଗ ଥିବା ମଧ୍ୟ ପରିବାର ଲୋକ ଦେଖିଥିବା ଅଭିଯୋଗ କରିଛନ୍ତି। ଏହାସହ ସେମାନଙ୍କୁ ଫେରାଇ ଦେବାକୁ କୋଟି କୋଟି ଟଙ୍କା ଡିମାଣ୍ଡ କରୁଛନ୍ତି ଅପହରଣକାରୀ।
ଶେଷରେ ଆଉ କୌଣସି ଉପାୟ ନପାଇ ସେମାନଙ୍କ ପିଲାଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି। ତେବେ ଇରାନରେ ଥିବା ଭାରତୀୟ ଦୂତାବାସ ଇରାନ ସରକାରଙ୍କ ଉପରେ ଏହି ଘଟଣା ନେଇ ଅବଗତ କରାଇଥିବା ବେଳେ ୩ ଯୁବକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ଅନୁରୋଧ କରିଛନ୍ତି ଏବଂ ଭାରତରେ ଥିବା ସେମାନଙ୍କ ପରିବାର ସହ ଯୋଗାଯୋଗରେ ଅଛନ୍ତି।