fbpx

ଓଡ଼ିଶାରେ ପ୍ରଥମ: ରାଜ୍ୟରେ ଆରମ୍ଭ ହେଲା ପରିବାର ନିୟୋଜନର ନୂଆ ପଦ୍ଧତି: ମହିଳାଙ୍କ ଶରୀରରେ ଔଷଧ ପ୍ରତିରୋପଣ କରାଯିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକାଶ ନେଇ ରାଜ୍ୟ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ଅଯଥାରେ ନଷ୍ଟ ହେଉଥିବା ହାଡ଼କୁ ସଂରକ୍ଷିତ କରି ରଖିବା ପାଇଁ କଟକର ଏସସିବିରେ ପ୍ରଥମ ଥର ପାଇଁ ‘ବୋନ ବ୍ୟାଙ୍କ’ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି କୋଭିଡ-୧୯ ସଂକ୍ରମିତଙ୍କୁ ବ୍ୟୟବହୁଳ ଚିକିତ୍ସାରୁ ମୁକ୍ତି ଦେବା ପାଇଁ ରାଜ୍ୟ ସରକାର ଗତ ୨୦୨୧ରେ ୪ଟି ‘ଏକମୋ’ ମେଶିନ୍ କ୍ରୟ କରିଥିଲେ । ରାଜ୍ୟରେ ଆବଶ୍ୟକ ସଂଖ୍ୟକ ଏକମୋ ମେଶିନ୍ ନଥିବାରୁ ବାଧ୍ୟହୋଇ ରୋଗୀମାନେ ଖର୍ଚ୍ଚାନ୍ତ ହୋଇ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଯାଉଥିଲେ ।

ତେବେ ଏହା ମଧ୍ୟରେ ପରିବାର ନିୟୋଜନ ପାଇଁ ରାଜ୍ୟ ସରକାର ଏକ ନୂଆ ପଦ୍ଧତି ଆପଣାଇଛନ୍ତି । ପୂର୍ବରୁ ଇଞ୍ଜେକସନ ମାଧ୍ୟମରେ ପରିବାର ନିୟନ୍ତ୍ରଣ କରାଯାଉଥିବା ବେଳେ ଏଣିକି ମହିଳାଙ୍କର ବାହୁର ଚର୍ମ ତଳେ ମେଡିସିନ୍ କିଟସ୍ ରଖାଯିବ । ଏହି କିଟସରେ ପ୍ରୋଜେଷ୍ଟେରୋନ ହରମୋନ ରଖାଯାଇ ତାହାକୁ ଚର୍ମରେ ପ୍ରତିରୋପଣ କରାଯିବ । କିଟସକୁ ଚମଡ଼ା ତଳେ ରଖି ତାହାକୁ ସିଲେଇ କରିଦିଆଯିବ । ଏହାପରେ କିଟସରୁ ମେଡିସିନ ଧୀରେଧୀରେ କ୍ଷରିତ ହେବ ।

୩ ବର୍ଷ ପର୍ଯ୍ୟନ୍ତ ଏହି ଅସ୍ଥାୟୀ ପଦ୍ଧତି କାର୍ଯ୍ୟ କରିବ । ପ୍ରଥମ ଦିନରେ କଟକର ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ୫ ଜଣ ମହିଳାଙ୍କଠାରେ ଏହି ପଦ୍ଧତି ପ୍ରୟୋଗ କରାଯାଇଛି । ଏଥିସହିତ ରାଜ୍ୟର ଗଞ୍ଜାମ ଜିଲ୍ଲାରେ ଏହାକୁ ଆରମ୍ଭ କରାଯାଇଥିବା ବେଳେ ଆବଶ୍ୟକ କିଟସ ଉପଲବ୍ଧ ହେବା ପରେ ରାଜ୍ୟର ପ୍ରତ୍ୟେକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି କୌଶଳ ଆରମ୍ଭ ହେବ । ତେବେ କିଟସରୁ ଔଷଧ କ୍ଷରଣ ହେଲେ ମହିଳାଙ୍କ ଗର୍ଭ ସଞ୍ଚାର ହୋଇପାରିବ ନାହିଁ । ୩ ବର୍ଷ ପରେ ଉକ୍ତ କିଟସକୁ ମହିଳାଙ୍କ ହାତରୁ ବାହାର କରାଯିବ । ଜଣେ ଚାହିଁଲେ ତାହାକୁ ପୁଣି ଥରେ ପ୍ରତିରୋପଣ କରିପାରିବେ । ଏହି କିଟସ ପ୍ରତିରୋପଣ ଫଳରେ ମହିଳାଙ୍କର ନିୟମିତ ଋତୁସ୍ରାବ ହେବ ନାହିଁ । ଡିମ୍ବାଣୁ ଯେପରି ନ ଆସିବ ସେଥିପାଇଁ ପ୍ରୋଜେଷ୍ଟେରୋନ ହରମୋନ କାର୍ଯ୍ୟ କରିବ । ଆଠଗଡ଼ର ଜଣେ ଡାକ୍ତର କୋଲକତାରୁ ଏ ବାବଦରେ ଟ୍ରେନିଂ ନେଇ ଫେରିବା ପରେ ଏହାକୁ ରାଜ୍ୟରେ ଆରମ୍ଭ କରାଯାଇଛି ।

Get real time updates directly on you device, subscribe now.