ଆଜିଠୁ କଂସଙ୍କ ଆଦେଶରେ ଥରିବ ବରଗଡ଼, ୭୭ ବର୍ଷରେ ପାଦ ଥାପିଲା ପ୍ରସିଦ୍ଧ ଧନୁ ଯାତ୍ରା
ଆଜି ଉଗ୍ରସେନଙ୍କୁ ଗାଦିଚ୍ୟୁତ କାରି ମହାରାଜ କଂସ ସିଂହାସନ ଆରୋହଣ କରିବେ । ୧୧ ଦିନ ଧରି ଚାଲିବ ଓଡ଼ିଶା ପ୍ରସିଦ୍ଧ ଧନୁ ଯାତ୍ରା ।
ବରଗଡ଼: ଆଜିଠାରୁ ଆରମ୍ଭ ଓଡ଼ିଶା ପ୍ରସିଦ୍ଧ ବରଗଡ଼ ଧନୁ ଯାତ୍ରା । ଅମ୍ବାପାଲିରେ ଶୁଭିବ ମହାରାଜ କଂସଙ୍କ ଅଟହାସ୍ୟ ପୂର୍ଣ୍ଣ ହସ । ଚଳିତ ବର୍ଷ ଧନୁ ଯାତ୍ରା ବ୍ୟାପକ ଓ ଭିନ୍ନ ହେବାକୁ ଯାଉଛି ।
ଆଜି ଉଦଘାଟନୀ ଉତ୍ସବରେ ଅପରାହ୍ଣ ୨ଟା ସମୟରେ ଗାନ୍ଧୀଛକରୁ ସାଂସ୍କୃତିକ ଶୋଭାଯାତ୍ରା ଆରମ୍ଭ ହେବ । କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ସାଂସଦ ଓ ବିଧାୟକମାନେ ଉପସ୍ଥିତ ରହିବେ । ସନ୍ଧ୍ୟା ୭ଟାରେ ହାଟପଦା ରାଜଦରବାରରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ ।
ରାମଜୀ ମନ୍ଦିରରେ ଦେବକୀ ଓ ବାସୁଦେବଙ୍କ ବିବାହ କରାଯିବ । ଏଥିସହ ଆଜି ଉଗ୍ରସେନଙ୍କୁ ଗାଦିଚ୍ୟୁତ କାରି ମହାରାଜ କଂସ ସିଂହାସନ ଆରୋହଣ କରିବେ ।
୧୧ ଦିନ ଧରି ଚାଲିବ ଧନୁଯାତ୍ରା । ବରଗଡ଼ ପାଲଟିବ ମଥୁରାନଗରୀ । ମହାରାଜ କଂସଙ୍କ ପାଇଁ ଦରବାର ସାଙ୍ଗକୁ ମହାମନ୍ତ୍ରୀ ଓ ମହାରାଜାଙ୍କ ହାତୀ ସବୁ ତାଙ୍କ ଆଦେଶ ପାଇଁ ଚାହିଁ ବସିଛନ୍ତି । ଚଳିତ ଥର ୭୭ ବର୍ଷରେ ପଦାର୍ପଣ କରିଛି ଧନୁ ଯାତ୍ରା ।
୮ କିଲୋ ମିଟର ପରିଧି ଭିତରେ କଂସଙ୍କର ୩ଯି ଦରବାର ନିର୍ମାଣ କରାଯାଇଛି । ପାଖପାଖି ୧୮ଟି ମୁକ୍ତକାଶ ରଙ୍ଗମଞ୍ଚରେ ଅଭିନୟ ପରିବେଷଣ କରିବେ କଂସ । ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଯାତ୍ରା । ଗତକାଲି ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋଏଲ, ଏସପି ପ୍ରହଲ୍ଲାଦ ସାହାଇ ମିଣା ପ୍ରମୁଖ କାର୍ଯ୍ୟର ତଦାରଖ କରିଥିଲେ ।
ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି । ସାରା ସହର ସିସିଟିଭି ଲେନ୍ସ ତଳେ ରହିବ ।