ଦୁଃଖ ଖବର, ଆଉ ଶୁଭିବନି ଉସ୍ତାଦଙ୍କ ତାଳ… ପର ପାରିରେ ବିଶିଷ୍ଟ ତବଲା ବାଦକ ଜାକିର ହୁସେନ

ନୂଆଦିଲ୍ଲୀ: ବିଶ୍ୱ ବିଖ୍ୟାତ ତବଲା ବାଦକ ଉସ୍ତାଦ ଜାକିର ହୁସେନ୍ ଚିକିତ୍ସାଧୀନ ଅବସ୍ଥାରେ ଇହଲୀଳା ତ୍ୟାଗ କରିଛନ୍ତି । ଅସୁସ୍ଥ ହୋଇ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ ଉସ୍ତାଦ ଜାକିର ହୁସେନ । ଆଜି ମେଡିକାଲରେ ୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ସେନ ଫ୍ରାନ୍ସିକୋର ଏକ ହସ୍ପିଟାଲରେ ତାଙ୍କ ଚିକିତ୍ସା ଜାରି ରହିଥିଲା । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ ବର୍ତ୍ତମାନ ସେ ଚିକିତ୍ସାଧୀନ ଅବସ୍ତାରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ମିଳିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଉସ୍ତାଦଙ୍କ ପରିବାର ଲୋକେ ଏ ନେଇ କୌଣସି ସୂଚନା ଦେଇନାହାନ୍ତି ।

୧୯୫୧ ମାର୍ଚ୍ଚ ୯ ତାରିଖରେ ଜନ୍ମଲାଭ କରିଥିଲେ ପଦ୍ମ ବିଭୂଷଣ ଉସ୍ତାଦ ଜାକିର ହୁସେନ । ତବଲା ବାଦ୍ୟରେ ବିଶ୍ୱପ୍ରସିଦ୍ଧି ହାସଲ କରି ସେ ଅନେକ ପୁରସ୍କାରର ଅଧିକାରୀ ହୋଇଛନ୍ତି । ୧୯୮୮ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ ଉସ୍ତାଦ ଜାକିର ହୁସେନ୍ । ଏହାପରେ ୨୦୦୨ ମସିହାରେ ତାଙ୍କୁ ପଦ୍ମଭୂଷଣ ଏବଂ ୨୦୨୩ ମସିହାରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ଉସ୍ତାଦ ଜାକିର ହୁସେନଙ୍କୁ ୩ ଥର ଗ୍ରେମୀ ଆୱାର୍ଡ ମଧ୍ୟ ପ୍ରଦାନ କରାଯାଇଛି ।

ତବଲା ବାଦକ ଉସ୍ତାଦ ଆଲ୍ଲାହ ରଖା କୁରେଶୀ ଏବଂ ବିବି ବେଗମଙ୍କ ସୁସନ୍ତାନ ଭାବରେ ୧୯୫୧ ମସିହାରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ଉସ୍ତାଦ ଜାକିର । ମୁମ୍ବାଇ ମାହିମ ସ୍ତିତ ସେଣ୍ଟ ମାଇକଲ ସ୍କୁଲରେ ପାଠ ପଢିଥିଲେ ସେ । ଏହାପରେ ମୁମ୍ବାଇର ସେଣ୍ଟ ଜାଭିୟର୍ସ କଲେଜରୁ ଡିଗ୍ରୀ ହାସଲ କରିଥିଲେ । ମାତ୍ର ୧୧ ବର୍ଷ ବୟସରେ ସେ ଆମେରିକାରେ ନିଜ ପ୍ରଥମ କନ୍ସର୍ଟ କରିଥିଲେ ଉସ୍ତାଦ ଜାକିର ହୁସେନ୍ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ତବଲା ବାଦ୍ୟରେ ଅନେକ ସଫଳତା ହାସଲ କରି ୧୯୭୩ ମସିହାରେ ସେ ନିଜ ପ୍ରଥମ ଆଲବମ ’ଲିଭିଙ୍ଗ ଇନ ଦ ମ୍ୟାଟେରିଆଲ ୱାର୍ଲଡ’ ଲଞ୍ଚ୍ କରିଥିଲେ ।