ଓଡ଼ିଶା ଭାସ୍କର: ଗଜଲ ସମ୍ରାଟ ପଙ୍କଜ ଉଧାସ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୁମଧୁର କଣ୍ଠରେ ସାରା ଦେଶବାସୀଙ୍କ ମନ ଜିଣିଥିବା ପଙ୍କଜ ଆଜି ନୀରବ ହୋଇଯାଇଛନ୍ତି । ଦୀର୍ଘ ଦିନର ଅସୁସ୍ଥତା ପରେ ଆଜି ୭୨ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି ପଙ୍କଜ । ତାଙ୍କ ମୃତ୍ୟୁରେ କଳାକାର ଜଗତରେ ଶୋକର ଛାୟା ଖେଳି ଯାଇଥିବା ବେଳେ ପ୍ରଶଂସକମାନେ ତାଙ୍କୁ ବିଭିନ୍ନ ଉପାୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । କିନ୍ତୁ ଏହାମଧ୍ୟରେ ଅନ୍ୟ ଜଣେ ପ୍ରଶଂସକ ପଙ୍କଜଙ୍କ ସହ କରିଥିବା ଏକ କାଣ୍ଡ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟି ଯାଇଛି ।
ପଙ୍କଜ ଉଧାସ ଅତି ସରଳ ଭାବରେ ଜୀବନଯାପନ କରିବା ସହିତ ସଂଗୀତ ସାଧନା ପ୍ରତି ବେଶ୍ ରୁଚି ରହିଥିଲା । କିନ୍ତୁ ୨୫ ବର୍ଷ ତଳେ ତାଙ୍କ ଜୀବନରେ ଘଟି ଯାଇଥିବା ଏକ ଘଟଣା ତାଙ୍କୁ ବହୁତ କଷ୍ଟ ଦେଇଥିଲା । ଜଣେ ବ୍ୟକ୍ତି ନିଜକୁ ତାଙ୍କ ପ୍ରଶଂସକ ବୋଲି ପରିଚୟ ଦେଇ ପଙ୍କଜଙ୍କୁ ଗଜଲ ଗାଇବା ପାଇଁ ବାଧ୍ୟ କରିଥିଲେ । ଏହି ସମୟରେ ଫ୍ୟାନ୍ ଜଣକ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିବା ମଧ୍ୟ ପଙ୍କଜ ଏକ ଇଣ୍ଟରଭ୍ୟୁରେ କହିଛନ୍ତି । ଫ୍ୟାନଙ୍କର ଏଭଳି ଆଚରଣରେ ପଙ୍କଜ ଏକଦମ ନିରୁପାୟ ହୋଇ ଯାଇଥିଲେ । ତେଣୁ ଇଚ୍ଛା ନଥାଇ ମଧ୍ୟ ସମ୍ପୂର୍ଣ୍ଣ ଗଜଲ ଗାଇଥିଲେ ପଙ୍କଜ ଏବଂ ଏହାପରେ ଘରକୁ ଫେରିଥିଲେ ।
ସୂଚନା ଅନୁସାରେ, ୨୫ ବର୍ଷ ତଳେ ଏକ ଲଙ୍ଗ୍ କନ୍ସର୍ଟରେ ଯୋଗ ଦେଇଥିଲେ ପଙ୍କଜ ଉଧାସ । ସେ ସମୟରେ ସେ ୪-୫ ଗଜଲ ଗାଇ ସାରିଥିଲେ । ଏହି କାର୍ଯ୍ୟକ୍ରମରେ ଗଜଲ ଗାଇବା ସମୟରେ ଜଣେ ବ୍ୟକ୍ତି ତାଙ୍କ ପାଖକୁ ଆସି ଏକ ଗଜଲ ଶୁଣାଇବା ପାଇଁ ଫରମାଇସ କରିଥିଲେ । ଏପରି ଆଚରଣରେ ରାଗି ଯାଇ ପଙ୍କଜ ସେ ଗଜଲ ଗାଇବା ପାଇଁ ମନା କରି ଦେଇଥିଲେ । କିନ୍ତୁ ଯୁବକ ଜଣକ ଅଚାନକ ଏକ ବନ୍ଧୁକ ବାହାର କରି ପଙ୍କଜଙ୍କ ମୁଣ୍ଡରେ ଲଗାଇ ଦେଇଥିଲା । ଏହାପରେ ଇଚ୍ଛା ନଥାଇ ମଧ୍ୟ ଯୁବକର ଫରମାଇସ ଅନୁସାରେ ଗଜଲ ଗାଇ ଘରକୁ ପେରିଥିଲେ । ତେବେ ଏହି ଘଟଣା ସେ ଅନେକ ଇଣ୍ଟରଭ୍ୟୁରେ ପ୍ରକାଶ କରିଛନ୍ତି ।