ଗାଈ ପଛେପଛେ ବେଡରୁମରେ ପଶିଗଲା ଷଣ୍ଢ, ୨ ଘଣ୍ଟା ଆଲମୀରାରେ ଫଶି ରହିଲେ ମହିଳା

ବେଡ଼ରୁମରେ ପଶିଲେ ଆଉ ସିଧା ବେଡ ଉପରେ ଚଢିଗଲେ ଗାଈ ଓ ଷଣ୍ଢ। ଘର ଭିତରେ ଷଣ୍ଢକୁ ଦେଖି ଡରିଗଲେ ମହିଳା। ଆଉ ନିଜକୁ ନିଜେ ଆଲମୀରା ଭିତରେ ୨ ଘଣ୍ଟା ଧରି ବନ୍ଦ କରି ରଖିଲେ।

ହରିୟାଣା: ସାମ୍ନାକୁ ଆସିଲା ଏକ ଆଶ୍ଚର୍ଯ୍ୟ କଲା ପରି ଘଟଣା। ଘରର ବେଡରୁମରେ ପଶିଛନ୍ତି ଗାଈ ଆଉ ଷଣ୍ଢ। ହେଲେ ଆଲମୀରା ଭିତରେ ୨ ଘଣ୍ଟା ଧରି ନିଜକୁ ବନ୍ଦ କରି ରଖିଛନ୍ତି ଘରର ମହିଳା। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

ହଁ ହରିୟାଣାର ଫରୀଦାବାଦରୁ ଆସିଛି ଏପରି ଏକ ଘଟଣା। ଘଟଣା ଫରୀଦାବାଦର କଲୋନୀର। ଯେଉଁଠାରେ ରାକେଶ ନାମକ ଜଣେ ବ୍ୟକ୍ତି ତାଙ୍କ ମା’, ସ୍ତ୍ରୀ ଓ ପିଲାମାନଙ୍କ ସହ ରହୁଥିଲେ।

ଘରେ ପଶିଗଲେ ଗାଈ-ଷଣ୍ଢ: ଶୁକ୍ରବାର ଦିନ ସକାଳେ ପିଲାମାନେ ଖେଳିବା ପାଇଁ ବାହାରକୁ ଚାଲିଯାଇଥିଲେ। ଆଉ ରାକେଶ କାମରେ। ରାକେଶଙ୍କ ମା’ ବି କିଛି ସମୟ ପାଇଁ କଲୋନୀର ଜଣେ ପଡୋଶୀଙ୍କ ଘରକୁ ଚାଲିଯାଇଥିଲେ। ହେଲେ ଏହି ସମୟରେ ରାକେଶଙ୍କ ପତ୍ନୀ ଘରେ ଏକାଥିଲେ। ଆଉ ଠାକୁର ପୂଜା କରୁଥିଲେ।

ହେଲେ ହଠାତ୍ ପ୍ରଥମେ ଗୋଟିଏ ଗାଈ ତାଙ୍କ ଘର ଭିତରକୁ ପଶି ଆସିଥିଲା। ଆଉ ତା ପଛେ ପଛେ ଗୋଟେ ଷଣ୍ଢ। ଦୁଇ ପଶୁ ସିଧା ବେଡରୁମରେ ଯାଇ ପ୍ରବେଶ କରିଥିଲେ। ଆଉ ଷଣ୍ଢଟି ସିଧା ବେଡ୍ ଉପରକୁ ଚଢି ଯାଇଥିଲା।

ଆଲମୀରାରେ ଫସି ରହିଲେ ମହିଳା: ଘରେ ଏକାଥିବା ରାକେଶଙ୍କ ସ୍ତ୍ରୀ ଷଣ୍ଢ ଆଉ ଗାଈକୁ ଦେଖି ଡରି ଯାଇ ନିଜକୁ ଘରର ଆଲମୀରା ଭିତରେ ବନ୍ଦ କରିଦେଇଥିଲେ। ଆଉ ଯେତେବେଳେ ରାକେଶଙ୍କ ମା’ ଘରକୁ ଆସିଥିଲେ, ଘର ଭିତରେ ଦୁଇ ପଶୁଙ୍କୁ ଦେଖି ନିଜେ ଡରି ଯାଇଥିଲେ। ଆଉ ପାଖ ଲୋକଙ୍କୁ ଜଣାଇଥିଲେ।

ଲୋକମାନେ ମଧ୍ୟ ଘରକୁ ଆସି ଗାଈ ଓ ଷଣ୍ଢକୁ ଘରୁ ବାହାର କରିବା ପାଇଁ ଅନେକ ଚେଷ୍ଟା କଲେ। କିନ୍ତୁ ଲୋକ ଭିଡ ଦେଖି ସେମାନେ ଘରୁ ବାହାରିବାର ନାଁ ମଧ୍ୟ ଧିରେଲନାହିଁ। ଏପରିକି ସେମାନଙ୍କ ଉପରକୁ ପାଣି ଫୋପଡାଗଲା, ବାଣ ଫୁଟାଗଲା, ହେଲେ କିଛି ଲାଭ ମିଳିଲାନି।

ଶେଷରେ କଲୋନୀର ଜଣେ ଲୋକ ତାଙ୍କ ପୋଷା କୁକୁରକୁ ସେଠାକୁ ଆଣିବାରୁ କୁକୁର ଭୁକିବା ଦେଖି ଘରୁ ବାହାରକୁ ଯାଇଥିଲେ ଗାଈ ଓ ଷଣ୍ଢ। ଆଉ ଦୀର୍ଘ ୨ ଘଣ୍ଟା ପରେ ଆଲମୀରାରୁ ବାହାରକୁ ବାହାରିଥିଲେ ମହିଳା।