fbpx

ଦେଶରେ ପୁଣି ଥରେ ଲାଗୁ ହେବ କୃଷି ଆଇନ୍, ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଟି କୃଷି ଆଇନକୁ ପ୍ରତ୍ୟାହାର ନେଇ ଘୋଷଣା କରିଥିଲେ । କୃଷକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିବା ପ୍ରଧାନମନ୍ତ୍ରୀ କହିଥିଲେ । ତେବେ କୃଷି ଆଇନ ପ୍ରତ୍ୟାହାର ହେବାର ଗୋଟିଏ ଦିନ ପରେ ଏକ ନୂଆ ଟ୍ୱିଷ୍ଟ ଆସିଛି । ଯଦି ଆବଶ୍ୟକ ହୁଏ, ତେବେ ପୁଣି ଥରେ କୃଷି ଆଇନ ଲାଗୁ ହେବ ବୋଲି ମତ ଦେଇଛନ୍ତି ରାଜସ୍ଥାନର ରାଜ୍ୟପାଳ କଲରାଜ ମିଶ୍ର । ତେବେ କଲରାଜଙ୍କ ଏହି ବିବାଦୀୟ ବୟାନକୁ ନେଇ ବିବାଦ ଘନେଇଥିବା ବେଳେ ଏହା କେନ୍ଦ୍ର ସରକାରଙ୍କ ସମସ୍ୟାକୁ ବଢ଼ାଇ ଦେଇଛି ।

ଗଣମାଧ୍ୟମର ପ୍ରତିନିଧିଙ୍କୁ କଲରାଜ କହିଥିଲେ ଯେ, କୃଷି ଆଇନକୁ ପ୍ରତ୍ୟାହାର କେନ୍ଦ୍ର ସରକାରଙ୍କର ଏକ ପ୍ରଶଂସନୀୟ ପଦକ୍ଷେପ । ଏହି ନିୟମ କୃଷକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଲାଗୁକରାଯାଇଥିଲା । ମାତ୍ର ଏହାକୁ ବିରୋଧ କରାଯିବାରୁ ସରକାର କୃଷକଙ୍କୁ ବହୁତ ବୁଝାଇବାକୁ ପ୍ରୟାସ କରିଥିଲେ । ଶେଷରେ କୃଷକଙ୍କ ଜିଦ୍ ଆଗରେ କେନ୍ଦ୍ର ସରକାରଙ୍କୁ ହାର ମାନିବାକୁ ପଡ଼ିଥିଲା । ତେବେ ବର୍ତ୍ତମାନ ଏହି ଆଇନକୁ ପ୍ରତ୍ୟାହାର କରାଯାଇଥିଲେ ହେଁ ଭବିଷ୍ୟତରେ ଯଦି ଦରକାର ପଡ଼େ, ତେବେ ପୁଣି ଥରେ ତାହାକୁ ଲାଗୁ କରାଯିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଆଇନ ପ୍ରତ୍ୟାହାର ଘୋଷଣା କରିସାରିଥିଲେ ହେଁ ଏବେ ଏହାକୁ ସଂସଦରେ ପାରିତ କରାଇବାକୁ ପଡ଼ିବ । ଆସନ୍ତା ବୁଧବାର ବସିବାକୁ ଥିବା କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ । ଏହାପରେ ଚଳିତ ମାସ ଶେଷରେ ସଂସଦର ଅଧିବେଶରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ଉପସ୍ଥାପନ କରାଯିବ ।

Get real time updates directly on you device, subscribe now.