କେନ୍ଦ୍ର ସରକାର ଓ କୃଷକଙ୍କ ଆଲୋଚନା, ଆଜିବି ବାହାରିଲାନି କୌଣସି ନିସ୍କର୍ଷ

ନୂଆଦିଲ୍ଲୀ, ୫ା୧୨ (ଓଡିଶା ଭାସ୍କର):କେନ୍ଦ୍ର ସରକାର ଓ କୃଷକଙ୍କ ଆଲୋଚନା ଶେଷ ହୋଇଛି ।ମାତ୍ର  ଆଜିବି ବାହାରିଲାନି କୌଣସି ନିସ୍କର୍ଷ । ଡିସେମ୍ବର ୯ରେ ପୁଣି ହେବ ଆଲୋଚନା ।  ସୂଚନା ଯୋଗ୍ୟ ଯେ କୃଷି ଆଇନକୁ ବିରୋଧ କରି ନୂଆଦିଲ୍ଲୀରେ କୃଷକମାନେ ଚଳାଇଥିବା ଆନ୍ଦୋଳନ କେନ୍ଦ୍ର ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଲାଣି । ଶନିବାର କେନ୍ଦ୍ର ସରକାର ଓ କୃଷକଙ୍କ ମଧ୍ୟରେ ଚାଲିଥିବା ଆଲୋଚନାରୁ ଆନ୍ଦୋଳନ ବନ୍ଦ ହେବା ନେଇ କୌଣସି ନିସ୍କର୍ଷ ବାହାରି ପାରିନାହିଁ । କୃଷକଙ୍କ ପ୍ରତିନିଧି ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏହା ପଞ୍ଚମ ବୈଠକ ହୋଇଥିଲେ ମଧ୍ୟ ସମାଧାନର କୌଣସି ରାସ୍ତା ବାହାରି ନପାରିବା ଚିନ୍ତାର ବିଷୟ ପାଲଟିଲାଣି । ୯ରେ ପରବର୍ତ୍ତି ବୈଠକ ହେବ । ଅନ୍ୟପଟେ କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ଚଳିତ ମାସ ୮ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହା ପୂର୍ବରୁ ବିବାଦର ସମାଧାନ ହୋଇଯିବ ବୋଲି ସମସ୍ତେ ଆଶା କରିଥିଲେ । କିନ୍ତୁ ଶନିବାରର ଏହି ବୈଠକରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ ଓ ଅନ୍ୟ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ଆନ୍ଦୋଳନରତ କୃଷକଙ୍କ ପକ୍ଷରୁ ୪୦ରୁ ଉର୍ଦ୍ଧ ପ୍ରତିନିଧି ଯୋଗ ଦେଇଥିଲେ । ବୈଠକ ଆରମ୍ଭରୁ କୃଷକ ପ୍ରତିନିଧିଙ୍କୁ ସମ୍ବୋଧିତ କରି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା କୃଷି ବିଲ୍ ସଂଶୋଧନ କରାଯାଇପାରେ, ମାତ୍ର ସମ୍ପୁର୍ଣ୍ଣ ବିଲ୍ କୁ ପ୍ରତ୍ୟାହାର କରାଯାଇ ପାରିବ ନାହିଁ । କିନ୍ତୁ ବୈଠକରେ ଉପସ୍ଥିତ ଥିବା କୃଷକ ନେତାମାନେ ବିଲ୍ କୁ ସମ୍ପୂର୍ଣ୍ଣଭାବେ ପ୍ରତ୍ୟାହାର କରିବା ଦାବିରେ ଅଡି ବସିଛନ୍ତି । ଫଳରେ ଏହି ବୈଠକ ପୁଣି ବିଫଳ ହୋଇଛି । ସେହିପରି ଅନ୍ୟ ବୈଠକଗୁଡ଼ିକ ପରି ଏହି ବୈଠକରେ ମଧ୍ୟ କୃଷକ ପ୍ରତିନିଧିମାନେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଖାଦ୍ୟକୁ ଗ୍ରହଣ ନକରି ନିଜେ ଆଣିଥିବା ଖାଦ୍ୟ ଖାଇଥିଲେ । ଅନ୍ୟପଟେ ଦିଲ୍ଲୀରେ କୃଷକ ସଙ୍ଗଠନଗୁଡ଼ିକ ଚଳାଇଥିବା ଆନ୍ଦୋଳନ ଶନିବାର ଦଶମ ଦିନରେ ପହଞ୍ଚିଛି । ଆଗକୁ ଏହି ଆନ୍ଦୋଳନ ବ୍ୟାପକ କରାଯିବ ବୋଲି କୃଷକ ସଙ୍ଗଠନଗୁଡ଼ିକ ପକ୍ଷରୁ ଚେତାବନୀ ଦିଆଯାଇଛି ।