୨୦୦ ସ୍ଥାନରେ ଯାତାୟାତ ଠପ, ୧୬୦ ଟ୍ରେନ ରଦ୍ଦ, ପରୀକ୍ଷା ବାତିଲ

ବନ୍ଦ କାଳରେ ଏମରଜେନ୍ସି ସେବା ଉପରେ ଯେମିତି କୌଣସି ପ୍ରଭାବ ପଡିବ ନାହିଁ; ବିବାହ ସମାରୋହ ପାଇଁ ଯାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଅଟକା ଯିବ ନାହିଁ

ଚଣ୍ଡିଗଡ- ତାତିଲେ ଚାଷୀ । ଚକା ଜାମ କରିଦେଲେ ପ୍ରାୟତଃ ପୁରା ରାଜ୍ୟରେ । ଚାଷୀଙ୍କ ତାତିରେ ୧୬୩ ଟ୍ରେନ ରଦ୍ଦ, ୧୯କୁ ସାମୟିକ ଭାବେ ବାତିଲ କରାଯାଇଛି । ପଞ୍ଜାବର ୨୦୦ ଜାଗାରେ ଚକା ଜାମର ପ୍ରଭାବ ଦେଖିବାକୁ ମିଳୁଛି ।

ସଂଯୁକ୍ତ କିସାନ ମୋର୍ଚ୍ଚା ଓ କିସାନ ମଜଦୁର ମୋର୍ଚ୍ଚାର ନେତୃତ୍ୱରେ ପଞ୍ଜାବରେ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ସକାଳ ସାତଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏ ଚାଲିବ । ଏହି ସମୟରେ ଜରୁରୀ ସେବାକୁ ଛାଡିଲେ ଅନ୍ୟ ସବୁ ଚଳାଚଳ ଉପରେ ରୋକ ଲଗାଇଛନ୍ତି ଚାଷୀ ।

ଏହି ବନ୍ଦ ଡାକରା ମୁଖ୍ୟତଃ ଏମଏସପି ଆଇନ ସମେତ ୧୩ ଦାବିକୁ ନେଇ ହୋଇଛି । ଏହି ବନ୍ଦ ପାଇଁ ରାଜ୍ୟର ୨୦୦ ପ୍ରମୁଖ ସ୍ଥାନରେ ଯାତାୟାତ ଠପ ହୋଇଯାଇଛି । ଜଳନ୍ଧର-ଦିଲ୍ଲୀ ଏନଏଚ, ଅମୃତସର-ଦିଲ୍ଲୀ ଏନଏଚରେ ଚାଷୀ ବସିଛନ୍ତି । ମୋହାଲି ଏୟାର ପୋର୍ଟ ରୋଡକୁ ମଧ୍ୟ ବନ୍ଦ କରାଯାଇଛି ।

ଚାଷୀଙ୍କ ପ୍ରଦର୍ଶନକୁ ଦେଖି ଆଇନ ଶୃଙ୍ଖଳା ଅବ୍ୟାହତ ରଖିବାକୁ ମୋହାଲି ଜିଲ୍ଲାରେ ପ୍ରାୟ ୬୦୦ ପୁଲିସ କର୍ମୀ ମୁତୟନ ହୋଇଛନ୍ତି । ସବୁ ସ୍ଥାନ ଉପରେ ପୁଲିସ କର୍ତ୍ତୃପକ୍ଷଙ୍କ ନଜର ରହିଛି ।

ତେବେ ଏହି ବନ୍ଦ କାଳରେ ଏମରଜେନ୍ସି ସେବା ଉପରେ ଯେମିତି କୌଣସି ପ୍ରଭାବ ପଡିବ ନାହିଁ ତାହା ଉପରେ ପ୍ରଦର୍ଶନକାରୀ ନଜର ରଖିଥିବା କହିଛନ୍ତି ଜଣେ ଚାଷୀ ନେତା । ଏହା ବ୍ୟତୀତ ବିବାହ ସମାରୋହ ପାଇଁ ଯାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଅଟକା ଯିବ ନାହିଁ ।

ଏବେ ଶୀତ ପାଇଁ ରାଜ୍ୟରେ ସବୁ ସ୍କୁଲ ବନ୍ଦ ରହିଛି । ବନ୍ଦକୁ ଦୃଷ୍ଟି ରଖି ପଞ୍ଜାବ ବିଶ୍ୱବିଦ୍ୟାଳୟ ସୋମବାର ହେବାକୁ ଥିବା ପରୀକ୍ଷାକୁ ମଙ୍ଗଳବାରକୁ ପରିବର୍ତ୍ତନ କରିଛନ୍ତି । ଏହି ବନ୍ଦ ପାଇଁ ଲୋକଙ୍କ ଯାତାୟତରେ ସମସ୍ୟା ହେଉଥିବା ଦେଖିବାକୁ ମିଳିଛି ।