fbpx

(ଦେଖନ୍ତୁ Video) ଆମ୍ବୁଲାନ୍ସ ମିଳିଲାନି, ଝିଅର ଶବକୁ କାନ୍ଧରେ ଧରି ୧୦ କିମି ପର୍ଯ୍ୟନ୍ତ ଚାଲିଲେ ବାପା

ନୂଆଦିଲ୍ଲୀ: ଆଜିକାଲି ସରକାର ସାଧାରଣ ଜନତାଙ୍କ ପାଇଁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟସେବା ଘୋଷଣା କରିଥିଲେ ହେଁ ତାହାର ଫାଇଦା ପାଇବାରୁ ବଞ୍ଚିତ ହେଉଛନ୍ତି ନିରୀହ, ମଳିମୁଣ୍ଡିଆମାନେ । ପୂର୍ବରୁ ଏଭଳି ଅନେକ ଦୃଷ୍ଟାନ୍ତ ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳିଛି । ତେବେ ନିକଟରେ ଛତିଶଗଡ଼ରୁ ପରି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ବ୍ୟକ୍ତିଙ୍କୁ ନିଜ ଝିଅର ଶବକୁ ଧରି ରାସ୍ତାରେ ଚାଲିବାକୁ ପଡ଼ିଛି । ଏହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

ଜଣାପଡ଼ିଛି ଯେ, ଲଖନପୁରରେ ଏକ ୭ ବର୍ଷର ଶିଶୁର ଥଣ୍ଡା ଓ ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଦୁର୍ଭାଗ୍ୟବଶତଃ ସେଠାରେ ଉକ୍ତ ଶିଶୁଟିର ମୃତ୍ୟୁ ଘଟିଥିଲା । ଏହାପରେ ଝିଅର ଶବକୁ ଘରକୁ ନେବା ପାଇଁ ଝିଅର ପିତା ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଏକ ଆମ୍ବୁଲାନ୍ସ ବନ୍ଦୋବସ୍ତ କରିବାକୁ ନେହୁରା ହୋଇଥିଲେ । ମାତ୍ର କେହି ତାଙ୍କର କଥାକୁ କର୍ଣ୍ଣାପାତ କରିନଥିଲେ । ବାଧ୍ୟହୋଇ ଲାଚାର ପିତା ନିଜର ସନ୍ତାନର ମୃତଦେହକୁ କାନ୍ଧରେ ଧରି ୧୦ କିମି ପର୍ଯ୍ୟନ୍ତ ଚାଲିବାକୁ ବାଧ୍ୟ ହୋଇଥିଲେ ।

ଏହି ଘଟଣାଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ହସ୍ପିଟାଲରେ ଭେଣ୍ଟିଲେଟର ଓ ଶବ ବାହନକାରୀ ଗାଡ଼ିର ଅଭାବ ଥିବା ମେଡିକାଲ କର୍ତ୍ତୃପକ୍ଷ କହିଥିଲେ । ସେହିପରି ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଶିଶୁଟିର ଶରୀରରେ ଅକ୍ସିଜେନର ମାତ୍ରା ବହୁତ କମ୍ ଥିଲା । ଏ ଖବର ମିଳିବା ପରେ ହସ୍ପିଟାଲରେ ଆମ୍ବୁଲାନ୍ସ ପହଞ୍ଚିଥିଲା, ମାତ୍ର ସେତେବେଳକୁ ଝିଅଟିର ପିତା ଶବଧରି ଘରକୁ ପଳାଇ ଯାଇଥିଲେ । ଡାକ୍ତର ଓ ଷ୍ଟାଫ୍ ନର୍ସଙ୍କ ଦାୟିତ୍ୱହୀନତା କାରଣରୁ ଏପରି ଘଟିଥିବା ସେ କହିଛନ୍ତି ।

Get real time updates directly on you device, subscribe now.