fbpx

ଓଡ଼ିଶା ଫେରିବ ବିଜୁଙ୍କ ପ୍ରିୟ ବିମାନ ଡାକୋଟା: ଦୀର୍ଘ ପ୍ରତୀକ୍ଷାର ଘଟିବ ଅନ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ଡାକୋଟା ବିମାନ ଖୁବଶୀଘ୍ର ଓଡ଼ିଶା ଫେରିବ । ଡାକୋଟା ରାଜ୍ୟକୁ ଫେରିବା ପରେ ଭୁବନେଶ୍ୱର ବିମାନବନ୍ଦରର ନିକଟରେ ଏହାକୁ ରଖାଯିବ । ଡାକୋଟା ରହିବା ସ୍ଥାନର ଚାରିପାଖରେ ସୌନ୍ଦର୍ଯ୍ୟକରଣ କରାଯିବ । ଏଥିପାଇଁ ଭୁବନେଶ୍ୱର ବିମାନ ବନ୍ଦର ପକ୍ଷରୁ ରାଜ୍ୟ ସରକାରଙ୍କୁ ୧୧ ଏକର ଜମି ଯୋଗାଇ ଦିଆଯିବ ବୋଲି କହିଛନ୍ତି ଭାରତୀୟ ବିମାନ ପ୍ରାଧିକରଣ (ଏଏଆଇ) ।

ଏନେଇ ଗତ ୧୬ ତାରିଖରେ ଏଏଆଇ ସହିତ ରାଜ୍ୟ ସରକାରଙ୍କର ଏକ ବୈଠକ ବସିଥିଲା । ରାଜ୍ୟ ସରକାରଙ୍କ ସୁପାରିଶକୁ ଏଏଆଇ ଗ୍ରହଣ କରିଛି । ଆସନ୍ତା ୩୦ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କୁ ଜମି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ବିଜୁବାବୁଙ୍କର ପ୍ରିୟ ବିମାନ ହେଉଛି ଡାକୋଟୋ । ଏହାକୁ ଉଡ଼ାଇ ବିଜୁବାବୁ ଅନେକ ସାହସିକତା କାର୍ଯ୍ୟ କରିଥିଲେ । ତେବେ ଦୀର୍ଘବର୍ଷ ଧରି ଡାକାଟୋ ପଶ୍ଚିମବଙ୍ଗର ନେତାଜୀ ସୁଭାଷ ବୋଷ ବିମାନ ବନ୍ଦରରେ ପଡ଼ି ରହିଛି ।

ଡାକୋଟା ଓଡ଼ିଶା ଫେରିବା ନେଇ ଗତ ଜୁଲାଇ ମାସରେ ରାଜ୍ୟ ପରିବହନ ବିଭାଗ ଟେଣ୍ଡର ଡାକିଥିଲା । ଡାକୋଟା (ଡିସି-୩) ବିମାନକୁ ଖୋଲି ତା’ର ଯନ୍ତ୍ରପାତି ଓ ବିଭିନ୍ନ ଅଂଶକୁ ଅଲଗା କରି ଭୁବନେଶ୍ୱର ଅଣାଯିବ । ଯେଉଁ ସଂସ୍ଥା ଟେଣ୍ଡର ନେବ ସେ ଏହି ସମସ୍ତ କାର୍ଯ୍ୟ କରିବ । ଡାକୋଟା ଭୁବନେଶ୍ୱର ଫେରିବା ପରେ ତା’ର ସମସ୍ତ ଅଂଶକୁ ଯୋଡ଼ାଯାଇ ବିମାନକୁ ପୁଣି ଥରେ ଛିଡ଼ା କରାଯିବ । ଯଦି କୌଣସି ନୂଆ ପାର୍ଟସ ଦରକାର ହେବ, ତେବେ ତାହାକୁ ଲଗାଯିବ ବୋଲି ସେ ସମୟରେ କୁହାଯାଇଥିଲା ।

ବିଜୁ ପଟ୍ଟନାୟକଙ୍କର ୧୦-୧୨ଟି ବିମାନ ରହିଥିଲା । ୧୯୪୭ରେ ଇଣ୍ଡୋନେସିଆର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ବିଜୁବାବୁ ସୁରକ୍ଷିତ ଭାବେ ଡାକୋଟାରେ ଫେରାଇ ଆଣିପାରିଥିଲେ । ସେହିପରି ପାକିସ୍ତାନ ଆକ୍ରମଣ ସମୟରେ ମଧ୍ୟ ବିଜୁବାବୁ ଡାକୋଟା ଯୋଗେ ଭାରତୀୟ ସେନାଙ୍କୁ ଖାଦ୍ୟ ଓ ଶୀତବସ୍ତ୍ର ପ୍ରଦାନ କରିଥିଲେ । ଡାକୋଟା ଓଡ଼ିଶା ଫେରିବା ପରେ ରାଜ୍ୟବାସୀ ବିଜୁଙ୍କ ଅନେକ ଗୌରବମୟ ଇତିହାସ ସମ୍ପର୍କରେ ଅବଗତ ହୋଇପାରିବେ ।

Get real time updates directly on you device, subscribe now.