ନୂଆଦିଲ୍ଲୀ: ମହାକାଶ ଜଗତରେ ଅନେକ ସଫଳତା ହାସଲ କରିସାରିଛି ଆମେରିକାର ସ୍ପେସ ଏଜେନ୍ସି ନାସା । ୧୯୬୯ ମସିହାରେ ଆପୋଲୋ ମିଶନ୍ ଜରିଆରେ ୩ ଜଣ ମହାକାଶଚାରୀଙ୍କୁ ନାସା ଚନ୍ଦ୍ରପୃଷ୍ଠରେ ଅବତରଣ କରାଇଥିଲା । ଏମାନଙ୍କ ମଧ୍ୟରେ ଜଣେ ଅନ୍ତରୀକ୍ଷ ଯାତ୍ରୀ ଥିଲେ ନୀଲ ଆର୍ମଷ୍ଟ୍ରଙ୍ଗ, ଯିଏ କି ଚନ୍ଦ୍ରରେ ପାଦ ଥାପିଥିଲେ । ଏହି ଘଟଣା ସାରା ମାନବ ଇତିହାସରେ ଏକ ବିଶାଳ ଇତିହାସ ସୃଷ୍ଟି କରିଛି । ଏହାପରେ ମଧ୍ୟ ନାସା ଆହୁରି ୬ଟି ଆପୋଲୋ ମିଶନ୍ ଚନ୍ଦ୍ରକୁ ପଠାଇ ସାରିଥିବା ବେଳେ ୫ଟି ମିଶନ ସଫଳ ହୋଇଛି । ତେବେ ମାତ୍ର ୩ ବର୍ଷ ମଧ୍ୟରେ ନାସା ୧୨ ଜଣ ଅନ୍ତରୀକ୍ଷ ଯାତ୍ରୀଙ୍କୁ ଚନ୍ଦ୍ରମାରେ ପହଞ୍ଚାଇବାରେ ସଫଳ ହୋଇଥିଲା । କିନ୍ତୁ ୧୯୭୦ ମସିହାରେ ମୁନ୍ ମିଶନ ରଦ୍ଦ କରି ଦେଇଛି ନାସା ।
ତେବେ ୧୯୭୨ ମସିହା ଆଜିର ଦିନରେ (ଡିସେମ୍ବର ୧୧)ତାରିଖରେ ନାସା ଶେଷ ଥର ପାଇଁ ଆପୋଲୋ-୧୭ ଚନ୍ଦ୍ରପୃଷ୍ଠରେ ଲାଣ୍ଡ କରିଥିଲା । ତେବେ ଏହି ଘଟଣାକୁ ୫ ଦଶନ୍ଧି ବିତି ଯାଇଥିଲେ ମଧ୍ୟ ନାସା କୌଣସି ବ୍ୟକ୍ତିଙ୍କୁ ଚନ୍ଦ୍ରପୃଷ୍ଠକୁ ପଠାଇନାହିଁ । କାରଣ ୧୯୬୦ ମସିହାରେ ଆମେରିକା ଏବଂ ସୋଭିଏତ ସଂଘ ମଧ୍ୟ ସ୍ପେସରେ ପ୍ରଥମେ ପହଞ୍ଚିବାକୁ ନେଇ ଏକ ରେସ୍ ଆରମ୍ଭ ହୋଇ ଯାଇଥିଲା । ତେଣୁ ଆମେରିକାର ୩୫ ତମ ରାଷ୍ଟ୍ରପତି ଜନ୍ ଏଫ୍ କେନେଡି ୧୯୬୧ ମସିହାରେ ଜଣେ ଆମେରିକୀୟଙ୍କୁ ଚନ୍ଦ୍ରକୁ ପଠାଇବା ଯୋଜନା ଘୋଷଣା କରିଥିଲେ। ଫଳରେ ସରକାରଙ୍କ ଆକଳନ ଅପେକ୍ଷା ଆପୋଲୋର ଏହି କାର୍ଯ୍ୟକ୍ରମରେ ଅନେକ ଗୁଣ ଅଧିକ ଖର୍ଚ୍ଚ ହୋଇଗଲା । ଆମେରିକା ପ୍ରାୟ ୨୫ ବିଲିୟନ ଡଲାର ଖର୍ଚ୍ଚ କରି ଚନ୍ଦ୍ରେରେ ଜଣେ ଅନ୍ତରୀକ୍ଷ ଯାତ୍ରୀଙ୍କୁ ପହଞ୍ଚାଇଥିଲା ।
ତେବେ ମୁନ୍ ଲାଣ୍ଡିଂର ପ୍ରଥମ ସଫଳତା ପରେ ସରକାର କିମ୍ବା ଦେଶର ନାଗରିକଙ୍କ ପାଖରେ ସ୍ପେସ ମିଶନକୁ ନେଇ ଉତ୍ସାହ ହ୍ରାସ ପାଇଥିଲା । ଏହାବ୍ୟତୀତ ଚନ୍ଦ୍ରକୁ ଅନ୍ତରୀକ୍ଷ ଯାତ୍ରୀଙ୍କୁ ପଠାଇବା ପାଇଁ ଅନେକ ଡଲାର ମଧ୍ୟ ଖର୍ଚ୍ଚ ହେଉଥିଲା । ୧୯୬୯ରେ ନାସାର ବାର୍ଷିକ ବଜେଟ ୪ ବିଲିୟନ୍ ଡଲାର ଥିବା ବେଳେ ୧୯୭୪ ମସିହାରେ ୩ ଡଲାରରେ ପହଞ୍ଚିଥିଲା । ଏହି ଆପୋଲୋ ପ୍ରୋଗ୍ରାମ ପରେ ଆମେରିକା ଡିପ୍ ସ୍ପେସ, ସୂର୍ଯ୍ୟ, ମଙ୍ଗଳ ଏବଂ ଅନ୍ୟାନ୍ୟ ଗ୍ରହ-ଉପଗ୍ରହ ଉପରେ ଅଧିକ ଧ୍ୟାନ ଦେଇଥିଲା । ଫଳରେ ଚନ୍ଦ୍ରପୃଷ୍ଠକୁ ମଣିଷଙ୍କୁ ପଠାଇବା ଦାରା ବନ୍ଦ କରି ଦେଇଛି ନାସା । ତେବେ ବର୍ତ୍ତମାନ ଅନ୍ତରୀକ୍ଷ ଯାତ୍ରୀଙ୍କ ସ୍ଥାନ ନେଇଛି ରୋବୋଟ । ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଅନ୍ତରୀକ୍ଷ ଯାତ୍ରୀଙ୍କ ସ୍ଥାନରେ ରୋବୋଟକୁ ପଠାଯାଉଛି ।