କର୍ଫ୍ୟୁରେ ମନ୍ତ୍ରୀ ପୁଅକୁ ଉଚିତ୍ ଶିକ୍ଷା ଶିଖାଇଲେ ମହିଳା କନେଷ୍ଟବଳ, ଦେଖନ୍ତୁ ଏହି ଜବରଦସ୍ତ ଭିଡିଓ

ରାସ୍ତା ଉପରେ ଉପରେ ମନ୍ତ୍ରୀ ପୁଅକୁ ଉଚିତ୍ ଶିକ୍ଷା ଦେଉଥିବା ପୋଲିସ ବିଷୟରେ ତ ଆପଣ ସାଧାରଣତଃ ସିନେମାରେ ଦେଖିଥିବେ । କିନ୍ତୁ ଏଭଳି ଦୃଶ୍ୟ ବାସ୍ତବରେ ଗୁଜରାଟର ସୁରତରେ ଦେଖିବାକୁ ମିଳିଛି । ଖାସ୍ କରି ରାଜନୀତିର ପ୍ରଭାବ ଡରାଇବାକୁ ଚେଷ୍ଟା କରୁଥିବା ସେହି ଯୁବକମାନଙ୍କୁ ଆଇନର ଭାଷା ଶିଖାଇଛନ୍ତି ଜଣେ ମହିଳା କନେଷ୍ଟବଳ । ସିଙ୍ଘମ ଷ୍ଟାଇଲରେ ମହିଳା କନେଷ୍ଟବଳ ଜଣକ ମନ୍ତ୍ରୀ ଓ ତାଙ୍କ ପୁଅକୁ ଆଇନର ପାଠ ପଢାଇଛନ୍ତି ।

ତେବେ ମିଳିଥିବା ସୂଚନା ମୁତାବକ, କରୋନା ମହାମାରୀର ମୁକାବିଲା କରିବା ପାଇଁ ସୁରତରେ ରାତି କର୍ଫ୍ୟୁ ଲାଗୁ ହୋଇଛି । ଏହି ସମୟରେ ବିନା ମାସ୍କରେ ବୁଲୁଥିବା କିଛି ଯୁବକଙ୍କୁ ମହିଳା ପୋଲିସକର୍ମୀ ଅଟକାଇଥିଲେ । ଧରାପଡିଥିବା ଯୁବକମାନେ ନିଜର ସାଙ୍ଗ ବା ମନ୍ତ୍ରୀଙ୍କ ପୁଅକୁ ଫୋନ କରି ଡକାଇଥିଲେ । ତୁରନ୍ତ ମନ୍ତ୍ରୀଙ୍କ ପୁଅ କାର ନେଇ ସାଙ୍ଗମାନଙ୍କୁ ମୁକୁଳାଇବା ପାଇଁ ବାହାରି ଆସିଲେ । ସେ ଆସିଥିବା କାରରେ ବିଧାୟକର ବୋର୍ଡ ଲାଗିଥିବା ଜଣାପଡିଛି । ଏହା ପରେ ମହିଳା କନେଷ୍ଟବଳ ସୁନୀତା ଯାଦବ ମନ୍ତ୍ରୀ ପୁଅର ଗର୍ବ ଭାଙ୍ଗିବା ସହ ଗାଡିରୁ ବିଧାୟକର ବୋର୍ଡ କାଢିଦେଇଥିଲେ ।

ଏହା ପରେ ପୁଅ ନିଜର ପିତା ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କୁମାର କାନାଣୀଙ୍କୁ ଫୋନ କରିଥିଲେ । ଫୋନରେ ମନ୍ତ୍ରୀଙ୍କ ସହ ମଧ୍ୟ ମହିଳା କନେଷ୍ଟବଳଙ୍କ କଥାବାର୍ତ୍ତା ହେବା ପରେ ମନ୍ତ୍ରୀ କହିଥିଲେ ଯେ, ଆଇନ ହିସାବରେ ଯାହା ଠିକ୍, ତାହା କର ।

ଏହାର ଭିଡିଓ ଖୁବ୍ ଭାଇରାଲ ହେବା ପରେ ଲୋକେ ମହିଳା କନେଷ୍ଟବଳଙ୍କ ସାହସକୁ ସଲାମ୍ କରୁଛନ୍ତିି । ଅନ୍ୟପଟେ ପୋଲିସ କମିସନର ଘଟଣାର ଯାଞ୍ଚ କରିବାକୁ ଆଦେଶ ଦେଇଛନ୍ତି । ଏହାରି ମଧ୍ୟରେ କୁହାଯାଉଛି ଯେ, ସୁନୀତାଙ୍କର ଅନ୍ୟ ଏକ ସ୍ଥାନରେ ଟ୍ରାନ୍ସଫର ହୋଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ ।