ଭିଡିଓ କରି ଶାଶୁଘର ନିର୍ଯାତନା କାହାଣୀ ବଖାଣିଲେ, ଗଛରେ ଓଢ଼ଣୀ ଲଗାଇ ଝୁଲିପଡ଼ିଲେ ମହିଳା କନଷ୍ଟବଲ

ନୂଆପଡ଼ା: ନୂଆପଡ଼ାରେ ମହିଳା କନଷ୍ଟେବଲଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି । ଆତ୍ମହତ୍ୟା କରିବା ପୂର୍ବରୁ ମହିଳା ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଥିଲେ ।

ଯେଉଁଥିରେ ସେ ଶାଶୁଘର ନିର୍ଯାତନା ସମ୍ପର୍କରେ ସବୁ କଥା କହିଛନ୍ତି । ଜାରି ଭିଡିଓରେ ସେ କହିଛନ୍ତି, ସବୁବେଳେ ମୋତେ ଟର୍ଚର କଲେ ମୋ ସ୍ୱାମୀ । ସବୁବେଳେ ଝଗଡ଼ା କଲେ, ଡ୍ୟୁଟିରୁ ଆସିବା ପରେ ମୋତେ ରାତିରେ ବହୁତ କଥା କୁହନ୍ତି । ତଥାପି ମୁଁ ଚୁପ୍ ରୁହେ ।

ମୋର ଛୁଆ ଅଛି, ମୋତେ ଦୁର୍ବଳ ଲାଗୁଛି କିଛି କୁହ ନାହିଁ ବୋଲି କହିଲି କିନ୍ତୁ ଶୁଣିଲେ ନାହିଁ ମୋ ଶାଶୂ କୁହନ୍ତି, ତୁ ଘରୁ ପଳେଇ ଯା । ମୋ ପୁଅକୁ ଡିଭୋର୍ସ ଦେଇଦେ ମୁଁ ଅଲଗା ଝିଅକୁ ମ୍ୟାରେଜ କରିବି ।

ମ୍ୟାରେଜ ପରେ ହସଖୁସିରେ ଜୀବନ ଚାଲିଥିଲା । ସେମାନେ ଆସି ସବୁବେଳେ ଝଗଡ଼ା, ଟର୍ଚର କଲେ ବୋଲି ମହିଳା ଭିଡିଓରେ କହିଛନ୍ତି ।

ନୂଆପଡ଼ା ରେଲୱେ ଫାଟକ ନିକଟ ଏକ ଗଛରୁ ମହିଳା କନେଷ୍ଟବଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ନୂଆପଡ଼ା ପୁଲିସ। ମୃତକ ହେଲେ ନୂଆପଡ଼ା ସଦର ଥାନାର କନେଷ୍ଟବଳ ରୁକ୍ମିଣୀ ନାଗ । ସେ ସଦର ଥାନା ଅନ୍ତର୍ଗତ ରାଧକୃଷ୍ଣପଡ଼ାରେ ରହୁଥିବା ବେଳେ ଆଜି ରେଲୱେ ଫାଟକ ନିକଟ ଏକ ଗଛରେ ଓଢଣି ସାହାଯ୍ୟରେ ଝୁଲିପଡିଥିଲେ ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନୂଆପଡ଼ା ମୁଖ୍ୟଡାକ୍ତରଖାନକୁ ପଠାଇଛି । ବର୍ତ୍ତମାନ ସୁଦ୍ଧା ମହିଳା ପୁଲିସ କର୍ମଚାରୀଙ୍କ ଆତ୍ମହତ୍ୟା ସନ୍ଦେହ ଘେରରେ ରହିଛି। ମୃତ ପୁଲିସ କର୍ମଚାରୀଙ୍କ ସ୍ବାମୀ ମଧ୍ୟ ପୁଲିସ ବିଭାଗରେ କାମ କରୁଥିବା ଜଣାପଡିଛି। ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।