ଗୋଟିଏ ପଟେ FIFA ବିଶ୍ୱକପ୍, ଅନ୍ୟ ପଟେ କରୋନା ତାଣ୍ଡବ

ନୂଆଦିଲ୍ଲୀ: ଚୀନ ସମେତ ବିଶ୍ୱର ୧୦ରୁ ଅଧିକ ଦେଶରେ ଏବେ ଅଚାନକ କରୋନାର ଭୟଙ୍କର ତାଣ୍ଡବ ଦେଖିବାକୁ ମିଳିଲାଣି । ତେବେ ସୁପ୍ତ ଅବସ୍ଥାରେ ଥିବା କରୋନା ଭାଇରାସ୍ ହଠାତ୍ ଉପରମୁହାଁ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଚୀନର ପରିସ୍ଥିତି ନ କହିବା ଭଲ । ପରିସ୍ଥିତି ଏପରି ଯେ ସେଠାରେ ହସ୍ପିଟାଲରେ ବେଡ, ଡାକ୍ତର ଓ ନର୍ସଙ୍କ ଅଭାବ ପରିଲକ୍ଷିତ ହେଲାଣି । ଗତ ସପ୍ତାହକ ମଧ୍ୟରେ ସାରା ବିଶ୍ୱରେ ୧୦ ହଜାର ଲୋକ ମୃତ୍ୟୁବରଣ କରିବା ସହିତ ୩୬ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଛନ୍ତି ।

ତେବେ ଗତ ନଭେମ୍ବର ମାସ ୨୧ରୁ ଡିସେମ୍ବର ମାସ ୧୮ ପର୍ଯ୍ୟନ୍ତ ପାଖାପାଖି ଏକମାସ ଧରି କତାରରେ ଚାଲିଥିଲା ଫିଫା ବିଶ୍ୱକପ । ଲକ୍ଷ ଲକ୍ଷ ଲୋକ ଦୀର୍ଘଦିନ ଧରି ଏକତ୍ରିତ ହେବା ସଂକ୍ରମଣ ବୃଦ୍ଧିର ଅନ୍ୟତମ କାରଣ ନୁହେଁ ତ? ପୂର୍ବରୁ ପର୍ବପର୍ବାଣି, ଜନସମାଗମ ପାଇଁ ସଂକ୍ରମଣ ବୃଦ୍ଧି ହୋଇଥିବା ଅନେକ ଉଦାହରଣ ଦେଖାଦେଇଛି । ତେଣୁ ଏଭଳି ଆଶଙ୍କାକୁ ଅଣଦେଖା କରିହେବ ନାହିଁ । ଗୋଟିଏ ପଟେ ବିଶ୍ୱ ଚାମ୍ପିୟନ ହେବା ପରେ ଆର୍ଜେଣ୍ଟିନାରେ ବିଜୟ ଉତ୍ସବ ପାଳିତ ହେଉଥିବା ବେଳେ ଦେଶରେ ଅନ୍ୟପଟେ ସଂକ୍ରମଣ ପାଖାପାଖି ୧ ଲକ୍ଷରେ ପହଞ୍ଚିବା ସହିତ ୧.୩୦ ଲକ୍ଷ ଲୋକ ପ୍ରାଣ ହରାଇଲେଣି । ସପ୍ତାହକ ମଧ୍ୟରେ ଦେଶରେ ସଂକ୍ରମଣ ୧୩୦ ପ୍ରତିଶତ ବୃଦ୍ଧି ପାଇଛି ।

ଆର୍ଜେଣ୍ଟିନାରେ ଗତ ୭ ଦିନରେ ୬୨,୨୬୧ ମାମଲା ଆସିଥିବା ୩୯ ଜଣ ପ୍ରାଣ ହରାଇଛନ୍ତି । ଦେଶରେ ବର୍ତ୍ତମାନ ୧,୦୧,୯୮୯ଟି ଆକ୍ଟିଭ୍ କେସ୍ ରହିଛି । ଆର୍ଜେଣ୍ଟିନା ଫାଇନାଲରେ ଫ୍ରାନ୍ସକୁ ହରାଇବା ପରେ ଲକ୍ଷ ଲକ୍ଷ ଲୋକ ରାଜରାସ୍ତାରେ ଭିଡ଼ ଜମାଇଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ ଖେଳାଳିଙ୍କୁ ଏୟାରଲିଫ୍ଟ କରିବାକୁ ପଡ଼ିଥିଲା । ଗତ ୭ ଦିନରେ ଜାପାନରେ ସଂକ୍ରମଣ ୧ ଲକ୍ଷ, ଦକ୍ଷିଣ କୋରିଆରେ ୪.୬ ଲକ୍ଷ, ଫ୍ରାନ୍ସରେ ୩.୮ ଲକ୍ଷ, ଆମେରିକରେ ୨.୭ ଲକ୍ଷ, ଜର୍ମାନୀରେ ୨.୨ ଲକ୍ଷ, ହଂକଂରେ ୧ ଲକ୍ଷ, ଚୀନରେ ୧ ଲକ୍ଷ ଟପିଥିବା ଦେଖାଯାଇଛି ।