fbpx
BSKY SKY
BSKY SKY

ଭାରତର ପ୍ୟାରିସ୍ ଅଲିମ୍ପିକ୍ସ ସ୍ୱପ୍ନ ଚୁରମାର: ଗୋଟିଏ ଗୋଲ ପାଇଁ ସେମିରେ ହାରିଗଲା ଭାରତୀୟ ମହିଳା ହକି ଟିମ୍

BSKY

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଆସିଛି ଏକ ନୈରାଶ୍ୟଜନକ ଖବର । ଝାଡ଼ଖଣ୍ଡର ରାଞ୍ଚିଠାରେ ଚାଲିଥିବା ଏଫଆଇଏଚ ହକି ଯୋଗ୍ୟତା ପର୍ଯ୍ୟାୟ ସେମିଫାଇନାଲ ମ୍ୟାଚରେ ଭାରତକୁ ଲାଗିଛି ଏକ ବଡ଼ ଝଟକା । ଭାରତୀୟ ମହିଳା ହକି ଟିମ୍ ସେମି ମୁକାବିଲାରେ ପ୍ରତିପକ୍ଷ ଜାପାନ ଠାରୁ ୦-୧ରେ ପରାସ୍ତ ହୋଇଛି । ଏହି ପରାଜୟ ଫଳରେ ଭାରତ ଚଳିତ ବର୍ଷ ହେବାକୁ ଥିବା ପ୍ୟାରିସ ଅଲିମ୍ପିକ୍ସ କ୍ୱାଲିଫାଏରୁ ବଞ୍ଚିତ ହୋଇଛି ।

ଆସନ୍ତା ଜୁଲାଇ ୨୬ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ପ୍ୟାରିସ ଅଲିମ୍ପିକ୍ସ ଅନୁଷ୍ଠିତ ହେବ । ତେବେ ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିବା ନେଇ ଭାରତୀୟ ମହିଳା ହକି ଟିମ୍ ବିଫଳ ହୋଇଛି । ଜାପାନ ବିପକ୍ଷ ସେମି ମୁକାବିଲାରେ ୦-୧ ଗୋଲରେ ପରାସ୍ତ ହେବା ଫଳରେ ଭାରତର ଅଭିଯାନ ସମାପ୍ତ ହୋଇଛି । ରାଞ୍ଚିର ବିର୍ସା ମୁଣ୍ଡା ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆଜି ଭାରତ-ଜାପାନ ମଧ୍ୟରେ ଏହି ମ୍ୟାଚ ଆରମ୍ଭ ହୋଇଥିଲା । ଖେଳର ୬ ମିନିଟରେ ଜାପାନ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିବାରେ ସଫଳ ହୋଇଥିଲା ।

ଭାରତକୁ ଗୋଲ କରିବା ପାଇଁ ଅନେକ ସୁଯୋଗ ମିଳିଥିଲେ ହେଁ ଜାପାନୀ ଡିଫେନ୍ସ ତାହାକୁ ବିଫଳ କରିଦେଇଥିଲେ । ଏହି ମ୍ୟାଚରେ ଭାରତକୁ ୯ଟି ପେନାଲ୍ଟି କର୍ଣ୍ଣର ମିଳିଥିଲେ ବି ଗୋଟିଏ ବି ଗୋଲ ପୋଷ୍ଟ ଭେଦ କରିପାରିନଥିଲା । ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚରେ ଆମେରିକା ଠାରୁ ୦-୧ରେ ପରାସ୍ତ ହେବା ପରେ ଇଟାଲି ଓ ନ୍ୟୁଜିଲାଣ୍ଡକୁ ହରାଇ ସେମିରେ ପ୍ରବେଶ କରିଥିଲା । ପୂର୍ବ ମୁକାବିଲାରେ ଭାରତ ଭଲ ପ୍ରଦର୍ଶନ କରିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ସମୟରେ ତାହାକୁ ବଜାୟ ରଖିବାରେ ବିଫଳ ହୋଇଥିଲା । ୧୯୮୦ ମସ୍କୋ, ୨୦୧୬ ରିୟୋ ଓ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତ କ୍ୱାଲିଫାଏ କରିଥିଲା ।

Get real time updates directly on you device, subscribe now.