fbpx

ଅର୍ଥ ଅଭାବରୁ ନିର୍ବାଚନ ଲଢ଼ିବେନି ଅର୍ଥମନ୍ତ୍ରୀ: ଦେଶବାସୀଙ୍କୁ ଭାବୁକ କରିଦେଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଆସନ୍ତା ମାସ ଅର୍ଥାତ ଏପ୍ରିଲ ୧୯ ତାରିଖରୁ ଦେଶରେ ସାତଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ଏଥିସହିତ ଅରୁଣାଚଳ ପ୍ରଦେଶ, ଓଡ଼ିଶା, ସିକିମ ଓ ଆନ୍ଧ୍ରପ୍ରଦେଶ ପରି ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ସିକିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଜୁନ ୨ରେ ପ୍ରକାଶ ପାଇବ ଓ ଅନ୍ୟ ଦୁଇ ରାଜ୍ୟର ବିଧାନସଭା ସହିତ ଲୋକସଭା ନିର୍ବାଚନର ଫଳାଫଳ ଜୁନ ୪ରେ ପ୍ରକାଶ ପାଇବ ।

ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ପ୍ରାର୍ଥୀ ତାଲିକା ଜାରି କରୁଥିବା ଦେଖାଯାଉଛି । ଏଥିସହିତ ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀଙ୍କୁ ନିଯୁକ୍ତି ଦେବା ସହିତ ତାରକା ପ୍ରଚାରକଙ୍କ ତାଲିକା ମଧ୍ୟ ଜାରି କରୁଛନ୍ତି । ତେବେ ବର୍ତ୍ତମାନର ରାଜନୀତି ପାଇଁ ଅର୍ଥ ଯେ ନିହାତି ଆବଶ୍ୟକ ତାହା ସମସ୍ତେ ଜାଣନ୍ତି । ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଖାଲି ବିଡ଼ା ବିଡ଼ା ନୋଟ୍ ଉଡ଼ିବା ସହିତ ଚାରିଆଡ଼େ ମଦ, ମାଂସ ଖାଲି ଭାସିବ । ନିର୍ବାଚନ ଲଢ଼ିବା ପାଇଁ ବହୁ ବଡ଼ ବଡ଼ ନେତା ପୂର୍ବରୁ ଅର୍ଥର ବ୍ୟବସ୍ଥା କରି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଥାନ୍ତି । ପୂର୍ବରୁ କିନ୍ତୁ ଏପରି ରାଜନୀତି ନଥିଲା । ସେତେବେଳେ ରାଜନୀତିରେ ଏତେ ଅର୍ଥ ବ୍ୟୟ ହେଉନଥିଲା । ଭୋଟରମାନେ ଉତ୍ତମ ବ୍ୟକ୍ତିତ୍ୱ ବିଶିଷ୍ଟ ନେତାଙ୍କୁ ଚୟନ କରୁଥିଲେ । ମାତ୍ର ଏବେ ଯୁଗ ବଦଳିଯାଇଛି । ଆଜି ଭୋଟକୁ ଟଙ୍କା ଦ୍ୱାରା କିଣାଯାଉଛି ଏହା ସମସ୍ତେ ଜାଣନ୍ତି ।

ତେବେ ଏହା ମଧ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବୟାନ ଆଜି ସାରା ଦେଶବାସୀଙ୍କୁ ଭାବୁକ କରିଦେଇଛି । ଅର୍ଥର ଅଭାବରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି ନିର୍ମଳା । ଏହା ନିଶ୍ଚିତ ଭାବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବେ । ଆଜିର ସମୟରେ ସରକାରୀ ସ୍ତରରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନିକଟରୁ ୨-୩ଟି ପ୍ଲଟ୍, ୩-୪ଟି ବଡ଼ କୋଠା, ସୁନା ଅଳଙ୍କାର, ଲକ୍ଷ ଲକ୍ଷ ଟଙ୍କା ଆଦି ଜବତ ହେଉଛି । ଅନ୍ୟପକ୍ଷରେ ଦେଶର ଅର୍ଥମନ୍ତ୍ରୀ କହୁଛନ୍ତି ନିର୍ବାଚନ ଲଢ଼ିବା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ । ଜଣେ ଅର୍ଥମନ୍ତ୍ରୀ ଚାହିଁଲେ କେତେ ଯେ ଅର୍ଥ ଠୁଳ କରିପାରିବେ ତାହା କଳନା କରିହେବ ନାହିଁ । ତେଣୁ ନିର୍ମଳା ଏ ସମାଜକୁ ଏକ ବଡ଼ ଶିକ୍ଷା ଦେଇଛନ୍ତି । ଆଜି ବି ଈଶ୍ୱରିକ ଚିନ୍ତାଧାରାର ମଣିଷ ବଞ୍ଚିଛନ୍ତି, ଆଜିର ସମୟରେ ଆମ ସମାଜରେ ସାଧୁବାନ ଲୋକ ରହିଛନ୍ତି, ଏହା ପ୍ରମାଣ କରିଛନ୍ତି ନିର୍ମଳା ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ନିର୍ମଳାଙ୍କୁ ଆନ୍ଧ୍ରପ୍ରଦେଶ କିମ୍ବା ତାମିଲନାଡ଼ୁରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଅଫର ଦେଇଥିଲେ । ମାତ୍ର ନିର୍ବାଚନ ଲଢ଼ିବା ପାଇଁ ଯେଉଁ ପାଣ୍ଠିର ଆବଶ୍ୟକ ତାହା ତାଙ୍କ ପାଖରେ ନଥିବାରୁ ନଡ୍ଡାଙ୍କ ଅଫରକୁ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରିଦେଇଥିଲେ ନିର୍ମଳା । ଗୋଟିଏ ପଟେ ଟଙ୍କା ପାଇଁ ଆଜିର ରାଜନେତାମାନେ କେତେ ତଳକୁ ଖସି ପାରନ୍ତି ତାହା ସମସ୍ତେ ଜାଣନ୍ତି । ଏଭଳି ସମୟରେ ନିର୍ମଳା ଅନ୍ୟମାନଙ୍କ ଏକ ଉଦାହରଣ ପାଲଟି ଯାଇଛନ୍ତି । ୭-୧୦ ଦିନ ଧରି ଚିନ୍ତା କରିବା ପରେ ନିର୍ମଳା ଏଭଳି ନିଷ୍ପତ୍ତି ନେଇଥିଲେ । ତେବେ ଅର୍ଥମନ୍ତ୍ରୀଙ୍କ ପାଖରେ କ’ଣ ନିର୍ବାଚନ ଲଢ଼ିବାକୁ ଟଙ୍କା ନାହିଁ ବୋଲି ପ୍ରଶ୍ନର ଉତ୍ତରରେ ନିର୍ମଳା କହିଥିଲେ, ‘ମୋର ଦରମା ହେଉଛି ମୋର ଆୟ । ମୋର ସେଭିଙ୍ଗସ ହେଉଛି ମୋର ଟଙ୍କା । ଭାରତର ଟଙ୍କା ମୋର ଟଙ୍କା ନୁହେଁ ।’ ତେବେ ନିର୍ବାଚନ ନ ଲଢ଼ିଲେ ମଧ୍ୟ ସେ ଦଳ ପାଇଁ ପ୍ରଚାର କରିବେ ବୋଲି ନିର୍ମଳା କହିଛନ୍ତି ।

Get real time updates directly on you device, subscribe now.