ସର୍ଟ ସର୍କିଟରୁ ଲାଗିଲା ନିଆଁ, ବ୍ଲାଷ୍ଟ କଲା ୨ଟି ଗ୍ୟାସ୍ ସିଲିଣ୍ଡର, ଜଳି ପୋଡ଼ି ସବୁ ଛାରଖାର

ରାତି ଅଧରେ ଘରେ ଲାଗିଲା ନିଆଁ। ଗ୍ୟାସ୍ ସିଲିଣ୍ଡର ଫାଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ।

ଅନୁଗୁଳ: ଘରେ ହେଲା ସର୍ଟ ସର୍କିଟ୍। ଲାଗିଲା ନିଆଁ। ନିଆଁର ପ୍ରଭାବରେ ଘରେ ଥିବା ୨ଟି ଗ୍ୟାସ୍ ସିଲିଣ୍ଡର ଫାଟି ଛିନଛତର ହୋଇଗଲା ଘର। ଆଉ ଘରେ ଥିବା ଟଙ୍କା, ସୁନା, ଗାଇ ଗୋରୁ, ଛେଳି, ଧାନ, ବିରି, ମୁଗ ଇତ୍ୟାଦି ଶସ୍ୟ ପୋଡ଼ି ହୋଇ ପାଉଁଶ ହୋଇଗଲା।

ହେଲେ ଆଶ୍ୱସ୍ତକର କଥା ଏହା କି ଏତେବଡ଼ ଦୁର୍ଘଟଣାରୁ ବଞ୍ଚିଯାଇଛନ୍ତି ପରିବାର ଲୋକ। କାହାର କିଛି କ୍ଷତି ହୋଇ ନଥିବା ସୂଚନା ମିଳିଛି। କିନ୍ତୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି।

ଘଟଣା ଘଟିଛି ଅନୁଗୁଳ ଜିଲ୍ଲାରେ। ବିଳମ୍ବିତ ରାତିରେ ଦିଲ୍ଲୀପ ବିଶ୍ୱାଳ ନାମକ ବ୍ୟକ୍ତିଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଦୁଇ ବଖରା ଘର ସହ ସୁନା ଅଳଙ୍କାର, ନଗଦ ଟଙ୍କା, ୫ରୁ ଉର୍ଦ୍ଧ୍ବ ଛେଳି, ଧାନ, ବିରି, ମୁଗ ଇତ୍ୟାଦି ଶସ୍ୟ ପୋଡ଼ି ପାଉଁଶ ହୋଇଯାଇଛି।

ବିଳମ୍ବିତ ରାତିରେ ପ୍ରଥମେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା। ଘରେ ଥିବା ଦୁଇଟି ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ ହେବାରୁ ନିଆଁ ଚାରିଆଡ଼କୁ ବ୍ୟାପିଯାଇ ସବୁକିଛି ଛାରଖାର କରିଦେଇଛି। ଖବର ପାଇ ଘଟଣାସ୍ଥଳରେ ପହଁଚି ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ କରାଯାଇଛି।