ନୂଆଦିଲ୍ଲୀ: ଆଣ୍ଟର୍କଟିକାରେ ପ୍ରଥମ ଥର ପାଇଁ ଏପରି କିଛି ହୋଇଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ଏହା ପୂର୍ବରୁ କେହି ବି ଭାବିପାରିନଥିବେ ଯେ, ଆଣ୍ଟର୍କଟିକାର ବରଫ ଚଟାଣରେ ଏପରି କିଛି ହୋଇପାରିବ । ତେବେ ଇତିହାସରେ ପ୍ରଥମ ଥର ଆଣ୍ଟର୍କଟିକାର ବରଫ ରନୱେରେ ବିମାନ ଲ୍ୟାଣ୍ଡ କରିଛି । ଏହାର ଭିଡିଓ ସାମନାକୁ ଆସିବା ପରେ ସବୁଆଡେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ୟୁଜର୍ସମାନେ ଏହି ଭିଡିଓକୁ ଅଧିକରୁ ଅଧିକ ସେୟାର୍ କରୁଛନ୍ତି ।
ସୂଚନା ମୁତାବକ, ପର୍ଯ୍ୟଟନରେ କ୍ଷେତ୍ରରେ କାର୍ଯ୍ୟଶୀଳ ଥିବା କମ୍ପାନୀ ହାଇ ଫ୍ଲାଇ ପକ୍ଷରୁ ପ୍ରଥମ ଥର ପାଇଁ ଆଣ୍ଟର୍କଟିକାର ବରଫ ଉପରେ ଏୟାରବସ୍ ଏ୩୪୦ ବିମାନ ଲ୍ୟାଣ୍ଡ କରିଛି । କୁହାଯାଉଛି ଯେ, ହାଇ ଫ୍ଲାଏ ୮୦୧ର ଏହି ଫ୍ଲାଇଟ୍ ନଭେମ୍ବର ୨ ତାରିଖରେ ଦକ୍ଷିଣ ଆଫ୍ରିକାର କେପଟାଉନ୍ ସହରରୁ ଉଡାଣ ଭରିଥିଲା । ତେବେ ପାଖାପାଖି ୫ ଘଣ୍ଟା ପାଇଁ ଏହି ବିମାନ ଆଣ୍ଟର୍କଟିକାରେ ଲ୍ୟାଣ୍ଡ କରିଥିଲା ଓ ତାପରେ ଏହା କେପଟାଉନ୍ କୁ ଉଡାଣ ଭରିଥିଲା ।
ସୂଚନାଯୋଗ୍ୟ ଯେ, ଆଣ୍ଟର୍କଟିକାରେ ବିମାନ ଲ୍ୟାଣ୍ଡ କରିବା ପାଇଁ ଅନେକ ସମୟରୁ ପରୀକ୍ଷା ନିରୀକ୍ଷା ଜାରି ରହିଥିଲା । କାରଣ ଏଠାରେ ସବୁବେଳେ ବରଫ ଜମିରହୁଥିଲା । ବିମାନ ଟିକୁ ଲ୍ୟାଣ୍ଡ କରିବା କାମ ଏକ ପ୍ରକାର ଅସମ୍ଭବ ଲାଗୁଥିଲା । ପ୍ରାୟ ଦୁଇ ବର୍ଷ ଓ ୬ ରାଉଣ୍ଡ ଟ୍ରାଏଲ୍ ରେ ଏହି କାମ ସଫଳ ରୂପ ନେଇଛି ।