fbpx

ପାକିସ୍ତାନରେ ନିର୍ମାଣ ହେବ ପ୍ରଥମ ହିନ୍ଦୁ ମନ୍ଦିର: ଦୀର୍ଘ ବର୍ଷ ଅପେକ୍ଷାର ଘଟିଲା ଅନ୍ତ

ନୂଆଦିଲ୍ଲୀ: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ନିର୍ମାଣ ହେବ ପ୍ରଥମ ହିନ୍ଦୁ ମନ୍ଦିର । ପୂର୍ବରୁ ହିନ୍ଦୁଙ୍କୁ ଆବଣ୍ଟିତ କରାଯାଇଥିବା ଜମିକୁ ରଦ୍ଦ କରାଯାଇଥିଲା । ଉକ୍ତ ଜମିରେ ହିନ୍ଦୁ ମନ୍ଦିର, ଶ୍ମଶାନ ଘାଟ ଓ ସାମୂହିକ କେନ୍ଦ୍ର ନିର୍ମାଣ କରାଯିବାର ସ୍ଥିର ହୋଇଥିଲା । ତେବେ ପୁଣି ଥରେ ଏହା ଉପରେ ଆଲୋଚନା କରାଯାଇ ଉକ୍ତ ଜମିକୁ ହିନ୍ଦୁ ସମ୍ପ୍ରଦାୟଙ୍କୁ ଆବଣ୍ଟନ କରାଯାଇଛି । ଇସଲାମାବାଦ ଉଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି କରି ରାୟ ପ୍ରଦାନ କରିଥିବା ଜଣାପଡ଼ିଛି ।

ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୧୬ରେ ହିନ୍ଦୁ ସମ୍ପ୍ରଦାୟଙ୍କ ପାଇଁ ୦.୫ ଏକର ଜମି ଆବଣ୍ଟିତ କରାଯାଇଥିଲା । ମାତ୍ର ପରେ ଜମି ଆବଣ୍ଟନ ରଦ୍ଦ ହେବା ଖବର ପ୍ରକାଶ ପାଇବା ପରେ ହିନ୍ଦୁ ସମ୍ପ୍ରଦାୟଙ୍କ ମଧ୍ୟରେ ଏହା ଉତ୍ତେଜନା ବୃଦ୍ଧି କରିଥିଲା । ରାଜଧାନୀ ବିକାଶ ପ୍ରାଧିକରଣ (ସିଡିଏ)ର ଏହି ପଦକ୍ଷେପକୁ କିଛି ଲୋକ ବିରୋଧ କରିଥିଲେ । ଗତ ବର୍ଷ ଜୁଲାଇରେ ପାକିସ୍ତାନର କଠୋରପନ୍ଥୀ ଗୋଷ୍ଠୀ ଇସଲାମାବାଦରେ ସରକାରୀ ଅର୍ଥରେ ହିନ୍ଦୁ ମନ୍ଦିର ନିର୍ମାଣ ନେଇ ଆଲୋଚନା କରିଥିଲେ । ମାତ୍ର ସିଡିଏ ପକ୍ଷରୁ ନିର୍ମାଣକୁ ରୋକା ଯାଇଥିଲା । ତେବେ ଗତ ସେପ୍ଟେମ୍ବରରେ ଏହି ମାମଲାର ସମାଧାନ ହେବା ସହ ଭୂମିର ଚାରିପାଖରେ ପ୍ରାଚୀର ନିର୍ମାଣ ନେଇ ଅନୁମତି ଦିଆଯାଇଥିଲା । ପାକିସ୍ତାନରେ ହିନ୍ଦୁ ସମ୍ପ୍ରଦାୟଙ୍କର ପାଇଁ କୌଣସି ମନ୍ଦିର ବା ଶ୍ମଶାନ କେନ୍ଦ୍ର ନାହିଁ । ଇସଲାମାବାଦର ସୈଦପୁର ଗାଁରେ ଏକ ମନ୍ଦିର ଥିଲା, ମାତ୍ର ୧୦ ବର୍ଷ ପୂର୍ବରୁ ତାହା ନଷ୍ଟ ହୋଇଯାଇଛି । ଦେଶର ମାନବାଧିକାର କମିଶନ ଓ ହିନ୍ଦୁ ସମ୍ପ୍ରଦାୟଙ୍କ ଶତ ପ୍ରଚେଷ୍ଟା ପରେ ସିଡିଏ ଗତ ୨୦୧୬ରେ ଉକ୍ତ ସମ୍ପ୍ରଦାୟଙ୍କ ପାଇଁ ଜମି ଆବଣ୍ଟନ କରିଥିଲା ।

Get real time updates directly on you device, subscribe now.