fbpx
BSKY SKY
BSKY SKY

CMCର ପ୍ରଥମ ମେୟର ନିବେଦିତା ପ୍ରଧାନଙ୍କ ପରଲୋକ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ ମହାନଗର ନିଗମ (ସିଏମସି)ର ପ୍ରଥମ ମେୟର ତଥା ପୂର୍ବତନ ବିଧାୟିକା ନିବେଦିତା ପ୍ରଧାନଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । କିଛିଦିନ ଧରି ନିବେଦିତା ନିମୋନିଆ ଓ ସେପ୍ଟିସେମିଆ ରୋଗରେ ପୀଡ଼ିତ ଥିଲେ । ଡାକ୍ତରଙ୍କ ଶତ ଚେଷ୍ଟା ପରେ ମଧ୍ୟ ତାଙ୍କର ଜୀବନ ବଞ୍ଚାଇବା ସମ୍ଭବପର ହୋଇନଥିଲା ।

ନିବେଦିତାଙ୍କର ମୃତ୍ୟୁ ଖବର ପାଇ ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତିବିଶେଷ, ବହୁ ବୁଦ୍ଧିଜୀବୀ ଓ ତାଙ୍କର ଶୁଭେଚ୍ଛୁମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କର ମରଶରୀରକୁ ହସ୍ପିଟାଲରୁ ଏକ ଶୋଭାଯାତ୍ରା ମାଧ୍ୟମରେ ବକ୍ସି ବଜାର, ଦରଘା ବଜାର, ଚୌଧୁରୀ ବଜାର ଦେଇ ସିଏମସି କାର୍ଯ୍ୟାଳୟକୁ ନିଆଯାଇଥିଲା । ଗତ ୧୦ ତାରିଖ ଦିନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ରାତିରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହୋଇଯାଇଥିଲା ।

ନିବେଦିତା ବିଜେପିର ଜଣେ ଫ୍ରାୟାରବ୍ରାଣ୍ଡ ନେତ୍ରୀ ଥିବାବେଳେ ସେ ଅବିବାହିତ ଥିଲେ । ‘କୁନି ଅପା’ ଭାବେ ସେ କଟକ ସହରରେ ପରିଚିତ ଥିଲେ । ସେ ଜଣେ ଆଇନଜୀବୀ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ସକ୍ରିୟ ରାଜନୀତିରେ ପାଦ ଥାପିଥିଲେ । ପ୍ରଥମେ ସେ କାଉନସିଲର ହୋଇଥିଲେ ଓ ତା’ପରେ ବିଧାୟିକା ଓ କଟକର ପ୍ରଥମ ମେୟର ପଦ ସମ୍ଭାଳିଥିଲେ । ୧୯୬୩ ମସିହା ଜୁଲାଇ ମାସ ୭ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ବାଣିଜ୍ୟରେ ସ୍ନାତକୋତ୍ତର ଓ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । କେନ୍ଦ୍ରାପଡ଼ା କଲେଜରେ ପଢ଼ୁଥିବା ସମୟରେ ସେ ଛାତ୍ର ରାଜନୀତି ସହିତ ଜଡ଼ିତ ରହିଥିଲେ ।

Get real time updates directly on you device, subscribe now.