ଓଡ଼ିଶାରେ ପ୍ରଥମ ଥର ପ୍ରତିଷ୍ଠା ହେବ ୧୫୦ ମିଟର ଉଚ୍ଚତା ବିଶିଷ୍ଟ ୱିଣ୍ଡ ଟାୱାର: ରାଜ୍ୟରେ ଉତ୍ପାଦନ ହେବ ପବନ ଚାଳିତ ବିଦ୍ୟୁତ ଶକ୍ତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ରାଜ୍ୟରେ ଉତ୍ପାଦନ ହେବ ପବନ ଚାଳିତ ବିଦ୍ୟୁତ ଶକ୍ତି । ସେଥିପାଇଁ ପବନର ବେଗ ଅନୁଧ୍ୟାନ ପାଇଁ ରାଜ୍ୟର ୩ଟି ସ୍ଥାନ ଚିହ୍ନଟ କରାଯାଇଛି । ସେହି ସ୍ଥାନଗୁଡ଼ିକ ହେଉଛି ପୁରୀ, ପାରାଦୀପ ଓ ଦାମନଯୋଡ଼ି । ଏନେଇ ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ (ଏନଟିପିସି) ସମେତ ୨୫ଟି ରାଷ୍ଟ୍ରାୟତ୍ତ ବିଦ୍ୟୁତ ଉତ୍ପାଦନକାରୀ କମ୍ପାନୀ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି ।
ସୂଚନା ମୁତାବକ, ରାଜ୍ୟରେ ପ୍ରଥମ ଥର ୧୫୦ ମିଟର ଉଚ୍ଚତା ବିଶିଷ୍ଟ ୱିଣ୍ଡ ଟାୱାର ପ୍ରତିଷ୍ଠା କରାଯିବ । ଏନେଇ ଏନଟିପିସି ସମେତ ୨୫ଟି ରାଷ୍ଟ୍ରାୟତ୍ତ ବିଦ୍ୟୁତ ଉତ୍ପାଦନକାରୀ କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି । ଏସଜେଭିଏନଏଲ, ନାଲକୋ, ରିନ୍ୟୁ ପାୱାର, ଓ-୨ ପାୱାର, ହିରୋ ଫ୍ୟୁଚର ଏନର୍ଜୀ, ଆଇଡବ୍ଲ୍ୟୁଟିଏମଏ, ଡବ୍ଲ୍ୟୁଆଇପିପିଏ, ଏମପି ଏନର୍ଜୀ ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ଇଚ୍ଛୁକ ରହିଛନ୍ତି ।
୫୭୫ ମେଗାୱାଟ ବିଶିଷ୍ଟ ପବନ ଚାଳିତ ବିଦ୍ୟୁତ ଉତ୍ପାଦନ ପାଇଁ ୪୯୪୦ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ । ଆସନ୍ତା ୨୦୨୬ ମସିହା ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ନେଇ ଲକ୍ଷ୍ୟ ରଖାଯାଇଛି । ଓଡ଼ିଶାର ଅକ୍ଷୟଶକ୍ତି ଉତ୍ପାଦନ ନୀତି ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରୁଥିବା ଜଣାପଡ଼ିଛି । ଏନେଇ ନିକଟରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ୱିଣ୍ଡ ଏନର୍ଜୀ (ଏନଆଇଡବ୍ଲ୍ୟୁଇ) ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଚିହ୍ନଟ ହୋଇଥିବା ସ୍ଥାନଗୁଡ଼ିକରେ ଦିନରାତି ମିଶି ୨୪ ଘଣ୍ଟାରେ ପବନର ହାରାହାରି ଗତି କେତେ ରହୁଛି, ସେହି ଅନୁଯାୟୀ ବିଦ୍ୟୁତ ଉତ୍ପାଦନ ଧାର୍ଯ୍ୟ କରାଯିବ । ତେବେ ପ୍ରତି ଟାୱାରରୁ ଦିନରାତି ମିଶି ଅନ୍ୟୁନ ୧୨ ଗିଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇପାରିବ ବୋଲି କୁହାଯାଇଛି । ଏନଆଇଡବ୍ଲ୍ୟୁଇ ଦ୍ୱାରା ଚିହ୍ନଟ ହୋଇଥିବା ସ୍ଥାନଗୁଡ଼ିକରେ ଆସନ୍ତା ବର୍ଷକ ମଧ୍ୟରେ ପବନର ଗତିବିଧି ଅନୁଧ୍ୟାନ କରାଯିବ ।