India GDP: ପ୍ରଥମ ଥର ୪ ଟ୍ରିଲିୟନ ଡଲାର ପାର୍ କଲା ଭାରତୀୟ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ: ଭାରତର ଅର୍ଥବ୍ୟବସ୍ଥାରେ ଦ୍ରୁତ ବୃଦ୍ଧି ପରିଲକ୍ଷିତ ହୋଇଛି । ପ୍ରଥମ ଥର ଭାରତର ଇକୋନୋମୀ ୪ ଟ୍ରିଲିୟନ ଡଲାର ପାର କରିଛି । ଏହାଫଳରେ ଭାରତ ବିଶ୍ୱର ଚତୁର୍ଥ ସର୍ବବୃହତ୍ ଅର୍ଥବ୍ୟବସ୍ଥା ଦେଶ ଭାବେ ମାନ୍ୟତା ହାସଲ କରିବାର ନିକଟତର ହୋଇଯାଇଛି । ଭାରତ ୫ ଟ୍ରିଲିୟନ ଡଲାର ଇକୋନାମୀ ହାସଲ କରିବା ଦିଗରେ ଏହା ଏକ ବଡ଼ ଅଗ୍ରଗତି ।

ଆର୍ଥିକ ବର୍ଷ ୨୦୨୩-୨୪ର ପ୍ରଥମ ତିନି ମାସ ଅବସରରେ ଭାରତ ଜିଡିପିରେ ୭.୮ ପ୍ରତିଥତ ଅଭିବୃଦ୍ଧି ଘଟିଥିଲା । ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଦେଶର ଅର୍ଥବ୍ୟବସ୍ଥା ଉପରେ ଆସ୍ଥା ପ୍ରକଟ କରିଥିଲେ । ଆର୍ଥିକ ଗତିବିଧିକୁ ଦୃଷ୍ଟିରେ ରଖି ନଭେମ୍ବର ମାସ ଶେଷରେ ଦ୍ୱିତୀୟ ତ୍ରୈୟମାସିକ ଅବସରରେ ଜିଡିପି ସମସ୍ତଙ୍କୁ ଚକିତ କରିଦେବ ବୋଲି ଶ୍ରୀ ଦାସ ଅକ୍ଟୋବର ୩୧ରେ ବୟାନ ଦେଇଥିଲେ ।

ନଭେମ୍ବର ମାସ ୧୮ ତାରିଖ ରାତିରେ ଭାରତର ଜିଡିପିରେ ଏହି ଅଗ୍ରଗତି ଦେଖିବାକୁ ମିଳିଥିଲା । ପ୍ରଥମ ଥର ଦେଶ ୪ ଟ୍ରିଲିୟନ ଡଲାର ପାର୍ କରିଥିଲା । ତେବେ ବର୍ତ୍ତମାନ ଭାରତ ଚତୁର୍ଥ ସର୍ବବୃହତ ଅର୍ଥନୀତି ଠାରୁ କିଛି ପାଦ ଦୂରରେ ରହିଛି । ବର୍ତ୍ତମାନ ଜର୍ମାନୀ ବିଶ୍ୱର ଚତୁର୍ଥ ସର୍ବବୃହତ ଅର୍ଥନୀତି ହୋଇଥିବା ବେଳେ ଭାରତ ୫ମ ସର୍ବବୃହତ ଅର୍ଥନୀତି ଅଟେ । ପ୍ରଥମ ସ୍ଥାନରେ ଥିବା ଆମେରିକାର ଅର୍ଥବ୍ୟବସ୍ଥାର ଆକାର ୨୬.୭ ଟ୍ରିଲିୟନ ଡଲାର, ଦ୍ୱିତୀୟ ସ୍ଥାନରେ ଥିବା ଚୀନର ଅର୍ଥବ୍ୟବସ୍ଥାର ଆକାର ୧୯.୨୪ ଟ୍ରିଲିୟନ ଡଲାର ଓ ତୃତୀୟ ସ୍ଥାନରେ ଥିବା ଜାପାନର ଅର୍ଥବ୍ୟବସ୍ଥାର ଆକାର ୪.୩୯ ଟ୍ରିଲିୟନ ଡଲାର ଅଟେ ।