ନୂଆଦିଲ୍ଲୀ: କ୍ରିକେଟରେ ପ୍ରତ୍ୟେକ ମ୍ୟାଚରେ କିଛି ପୁରୁଣା ରେକର୍ଡ ଭାଙ୍ଗିବା ସହ ନୂଆ ରେକର୍ଡ ସ୍ଥାପିତ ହୋଇଥାଏ । ତେବେ ଏହା ମଧ୍ୟରେ ଟି-୨୦ କ୍ରିକେଟରେ ଏକ ପ୍ରଥମ ଘଟଣା ଦେଖିବାକୁ ମିଳିଛି । ମ୍ୟାଚ ସମୟରେ ଗୋଟିଏ ଦଳର ସମସ୍ତ ଖେଳାଳି ବୋଲିଂ କରିଛନ୍ତି । ଟି-୨୦ କ୍ରିକେଟରେ ଏହା ପ୍ରଥମ ଥର ଘଟିଥିଲା । ସୟଦ ମୁସ୍ତାକ ଅଲୀ ଟ୍ରଫିରେ ମଣିପୁର ବିପକ୍ଷରେ ଦିଲ୍ଲୀ ଏହି ବିରଳ ରେକର୍ଡର ଅଧିକାରୀ ହୋଇଛି । ଏହା ପୂର୍ବରୁ ଟି-୨୦ରେ ଗୋଟିଏ ଇନିଂସରେ ସର୍ବାଧିକ ୯ ଜଣ ବୋଲର ବୋଲିଂ କରିଥିବାର ରେକର୍ଡ ରହିଥିଲା । ମାତ୍ର ଦିଲ୍ଲୀ ଉକ୍ତ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି ।
ମଣିପୁର ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମଣିପୁର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ଦିଲ୍ଲୀ ଅଧିନାୟକ ଆୟୁଷ ବାଦୋନୀ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଥିଲେ । ସେ ଦଳର ସମସ୍ତ ଖେଳାଳିଙ୍କୁ ବୋଲିଂ କରିବାର ସୁଯୋଗ ଦେଇଥିଲେ । ଏପରିକି ୱିକେଟ କିପରି ମଧ୍ୟ କିପିଂ ଛାଡ଼ି ବୋଲିଂ କରିଥିଲେ । ତେବେ ଦିଲ୍ଲୀର ୧୧ ଜଣ ଯାକ ବୋଲର ବୋଲିଂ କରିଥିଲେ ହେଁ ମଣିପୁର ୧୨୦ ରନ୍ ସଂଗ୍ରହ କରିପାରିଥିଲା । ଉକ୍ତ ମ୍ୟାଚନରେ ଦିଲ୍ଲୀ ୯ଟି ବଲ୍ ବାକି ଥାଇ ୪ ୱିକେଟରେ ବିଜୟ ହାସଲ କରିନେଇଥିଲା । ମାତ୍ର ଟି-୨୦ କ୍ରିକେଟରେ ଦେଖିବାକୁ ମିଳିଥିବା ଏହି ନିଆରା ରେକର୍ଡକୁ ନେଇ ଏବେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ବେଶ୍ଚ ଚର୍ଚ୍ଚା ଚାଲିଛି ।