fbpx

ପ୍ରଥମ ଥର ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତ୍ତି: ଏଣିକି ଗବେଷଣା ପାଇଁ ସରକାରୀ ଡାକ୍ତରଙ୍କୁ ମିଳିବ ସହାୟତା, ଚଳିତ ସପ୍ତାହରେ ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗବେଷଣା କ୍ଷେତ୍ରରେ ଆଗ୍ରହୀ ଥିବା ଡାକ୍ତରଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଏଣିକି ମେଡିକାଲ କଲେଜରେ ଗବେଷଣା ପାଇଁ ଡାକ୍ତରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର । ଦି ଷ୍ଟେଟ ସେକ୍ଟର ସ୍କିମ (ଏସଏସଏସ) ରିସର୍ଚ୍ଚ ଫଣ୍ଡ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କମିଟି ଗଠନ କରାଯାଇଛି । ଏନେଇ ଆବଶ୍ୟକୀୟ ନୀତି ଓ ନିୟମ ଅଣାଯିବା ସହିତ ୫ ବର୍ଷ ପାଇଁ ନୀତି ନିର୍ଦ୍ଧାରଣ କରାଯିବ ।

କେନ୍ଦ୍ର ସରକାର ଯେଉଁ ଭଳି ଭାବେ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ମେଡିକାଲ କଲେଜକୁ ଗବେଷଣା ପାଇଁ ଅର୍ଥ ପ୍ରଦାନ କରୁଛନ୍ତି ଠିକ୍ ସେହିପରି ଭାବେ ରାଜ୍ୟରେ ପ୍ରଥମ ଥର ଲାଗି ସରକାରୀ ଡାକ୍ତରୀଙ୍କୁ ଗବେଷଣା କରିବା ପାଇଁ ରାଜ୍ୟ ସରକାର ସହାୟତା ପ୍ରଦାନ କରିବେ । ଚଳିତ ମାସ ପ୍ରଥମ ସପ୍ତାହରେ ସେ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ବିଭାଗ ପକ୍ଷରୁ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା ବେଳେ ଅର୍ଥ ବିଭାଗ ପକ୍ଷରୁ ଏ ବାବଦରେ ସହମତି ପ୍ରକାଶ ପାଇଛି ।

ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ସଚିବ ଓ ମେଡିକାଲ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ (ଡିଏମଇଟି) ନିର୍ଦ୍ଦେଶକ ଉପସ୍ଥିତ ଥିଲେ । ଡାକ୍ତରଙ୍କ ପାଇଁ ଗବେଷଣାତ୍ମକ ସନ୍ଦର୍ଭ ପ୍ରକାଶ କରିବା ବାଧ୍ୟତାମୂଳକ ହୋଇଥିବା ବେଳେ ଏହା ବିନା ପଦୋନ୍ନତି ମିଳିବ ନାହିଁ ବୋଲି ଜାତୀୟ ମେଡିକାଲ ଆୟୋଗ (ଏନଏମସି)ର ଗାଇଡଲାଇନ୍ସ ରହିଛି । ତେଣୁ କିଛି ଡାକ୍ତର ନିଜସ୍ୱ ଅର୍ଥରେ ଗବେଷଣା କରୁଥିବା ବେଳେ ଆଉ କିଛି ବିଭିନ୍ନ ସଂସ୍ଥାକୁ ସହାୟତା ମାଗିଥାନ୍ତି । ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଏବେ ଡାକ୍ତରଙ୍କୁ ଏକ ବଡ଼ ସମସ୍ୟାରୁ ମୁକ୍ତି ମିଳିବ ।

Get real time updates directly on you device, subscribe now.