fbpx

ଦେଶରେ ପ୍ରଥମ: ଓଡ଼ିଶା ପୋଲିସ ଆରମ୍ଭ କଲା ଖାସ୍ ଟେକନିକ, ଭିଡ଼ ଭିତରେ ଅପରାଧୀଙ୍କୁ ଚିହ୍ନଟ କରିବ ‘ବୁଲେଟ୍ କ୍ୟାମେରା’

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅପରାଧୀମାନେ ଯେତେ ଚାଲାକ, ଚତୁର ହେଲେ ହେଁ ଶେଷରେ ପୋଲିସ ଆଗରେ ହାର ମାନିଥାନ୍ତି । ନିକଟରେ ଓଡ଼ିଶା ପୋଲିସ ଏପରି ଏକ କମାଲ କରିଛି । ଦେଶରେ ପ୍ରଥମ ଥର ପାଇଁ ବ୍ୟବହାର କରାଯାଇଛି ବୁଲେଟ କ୍ୟାମେରା । ପୁରୀରେ ରଥଯାତ୍ରା ସମୟରେ ଓଡ଼ିଶା ପୋଲିସ ଏହାକୁ ବ୍ୟବହାର କରିଥିବା ବେଳେ ଅପରାଧୀଙ୍କ ପାଇଁ ଏହା ବଡ଼ ଚିନ୍ତାର କାରଣ ସାଜିଛି । ବଡ଼ ବଡ଼ କ୍ରିମିନାଲଙ୍କୁ ଧରିବା ପାଇଁ ଓଡ଼ିଶା ପୋଲିସ ଦେଶର ସବୁଠାରୁ ସ୍ମାର୍ଟ ତରିକା ଆପଣାଇଛି ।

ସଫ୍ଟୱେର ସହାୟତାରେ ଅପରାଧୀଙ୍କ ସମ୍ପୂର୍ଣ୍ଣ ଚେହେରାକୁ ଏହି ବୁଲେଟ କ୍ୟାମେରା ଚିହ୍ନଟ କରିପାରିବ । ଏହାର ଉପଯୋଗ କରାଯାଇ ରଥଯାତ୍ରା ସମୟରେ ୯୦ରୁ ଅଧିକ ଅପରାଧୀଙ୍କୁ ଗିରଫ କରାଯାଇଛି । ଏହି ଅପରାଧୀମାନେ ବିଭିନ୍ନ ବେଆଇନ କାର୍ଯ୍ୟରେ ଲିପ୍ତ ରହିଥିଲେ । ସାଧାରଣ ଭାବେ ପର୍ବପର୍ବାଣୀ ସମୟରେ ବହୁତ ଭିଡ଼ ହେଉଥିବାରୁ ତା’ର ସୁଯୋଗ ନେଇ ଅପରାଧୀମାନେ ଚେନ, ମୋବାଇଲ ଲୁଟି ନେଇଥାନ୍ତି । ମାତ୍ର ପୋଲିସ ଲାଗୁ କରିଥିବା ଏହି ସ୍ମାର୍ଟ ତରିକା ଏବେ ଅପରାଧୀଙ୍କ ନିଦ ହଜାଇ ଦେଇଛି ।

ବୁଲେଟ କ୍ୟାମେରା ସହାୟତାରେ ଅପରାଧୀଙ୍କୁ ଠାରୁ ୧୧୭ଟି ଫୋନ ଜବତ କରାଯାଇଥିବା ପୁରୀ ଏସପି ସୂଚନା ଦେଇଛନ୍ତି । ଆଗକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅପରାଧୀଙ୍କୁ ସାବାଡ଼ କରିବାକୁ ଏହି କ୍ୟାମେରାର ଉପଯୋଗ କରାଯିବ । ହାଇ ରିଜୋଲ୍ୟୁସନ ଯୁକ୍ତ ମୋଟର ଚାଳିତ ଏହି ବୁଲେଟ କ୍ୟାମେରା ବର୍ତ୍ତମାନ ଜଗନ୍ନାଥ ମନ୍ଦିର ସାମ୍ନାରେ ଗ୍ରାଣ୍ଡ ରୋଡ଼ର ବିଭିନ୍ନ ସ୍ଥାନରେ ସ୍ଥାପନ କରାଯାଇଛି । ଫିଡବ୍ୟାକ ଓ ପ୍ରଦର୍ଶନ ଆଧାରରେ ଭୁବନେଶ୍ୱର ଓ କଟକ ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାକୁ ଲଗାଯିବ । ସାରା ଦେଶରେ ଅପରାଧ ଦମନ କ୍ଷେତ୍ରରେ ଏହା କ୍ରାନ୍ତିକାରୀ ଫଳାଫଳ ଆଣିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ପ୍ରଥମେ ୩୦୦ରୁ ଅଧିକ ଅପରାଧୀଙ୍କୁ ଇମେଜ କ୍ୟାମେରାରେ ଫିଡ୍ କରାଯାଇଥାଏ । ତାହାକୁ ଚେହେରା ଚିହ୍ନଟ ପ୍ରଣାଳୀ ସହିତ ଯୋଡ଼ି ଦିଆଯାଇଥାଏ । କିଛି ବଛା ବଛା ସ୍ଥାନରେ ବୁଲେଟ କ୍ୟାମେରା ଲଗାଯାଇଥାଏ । ଅପରାଧୀମାନେ ଏହି କ୍ୟାମେରା ପରିସରକୁ ଆସିବା ପରେ ତାଙ୍କର ଚେହେରା କ୍ୟାମେରାରେ କଏଦ ହୋଇଯାଇଥାଏ । ଏହାପରେ ସଙ୍ଗେସଙ୍ଗେ ପୋଲିସ କଣ୍ଟ୍ରୋଲ ରୁମରେ ଆଲାର୍ମ ବାଜିଥାଏ । ଫଳରେ ପୋଲିସ ଅପରାଧୀକୁ ସହଜରେ ଧରିପାରିଥାଏ । ଏହି କ୍ୟାମେରାକୁ ଜଗନ୍ନାଥ ମନ୍ଦିର ଭିତରେ ମଧ୍ୟ ଲଗାଯିବ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଦିଲ୍ଲୀର ଏକ ଆଇଟି ଫାର୍ମ ସହିତ ଆଲୋଚନା କରାଯାଇଛି ।

Get real time updates directly on you device, subscribe now.