fbpx

ଓଡ଼ିଶାରେ ପ୍ରଥମ: ଜେଲ ବିଭାଗରେ କାର୍ଯ୍ୟକାରୀ ହେବ ‘ପ୍ରିଜନ୍ ମ୍ୟାନେଜମେଣ୍ଟ ସିଷ୍ଟମ’, ଖସି ପାରିବେନି କଏଦୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ଜେଲରେ ବନ୍ଦୀ ଜୀବନ ବିତାଉଥିବା କଏଦୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । କଏଦୀଙ୍କ ପ୍ରତିଭାର ପ୍ରଦର୍ଶନ ପାଇଁ ଜେଲରେ ରେଡିଓ ଜକି ଖୋଲିବା ପାଇଁ ନିକଟରେ ନିଷ୍ପତ୍ତି ନିଆଯାଇଥିଲା । ରାଜଧାନୀର ଝାରପଡ଼ାରେ ରେଡିଓ ଷ୍ଟେସନ ଖୋଲିବା ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଥିଲା ।

ପୂର୍ବରୁ କଏଦୀଙ୍କ ଗୋଡ଼ରେ ଜିପିଏସ ଲାଗିବା ନେଇ ଯୋଜନା କରାଯାଇଥିବା ବେଳେ ପୁଣି ଏକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ବଡ଼ ବଡ଼ ବିକଶିତ ଦେଶମାନଙ୍କ ଭଳି ଓଡ଼ିଶାର ଜେଲଗୁଡ଼ିକରେ ପ୍ରିଜନ ମ୍ୟାନେଜମେଣ୍ଟ ସିଷ୍ଟମ ବା ଜେଲ ପରିଚଳନା ବ୍ୟବସ୍ଥା ଲାଗୁ ହେବ । ପ୍ରଥମ ଥର ପାଇଁ ରାଜ୍ୟରେ ଏହି ବ୍ୟବସ୍ଥା ଲାଗୁ ହେବାକୁ ଯାଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଝାରପଡ଼ା ଓ ଚୌଦ୍ୱାର ଜେଲରେ ଏହାକୁ ଆରମ୍ଭ କରାଯିବ । ଏନେଇ ପ୍ରସ୍ତୁତି ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡ଼ିଛି ।

ଏହି ବ୍ୟବସ୍ଥାରେ ଏକ ସପ୍ଟୱେୟାର ଆପ୍ଲିକେସନରେ ସମସ୍ତ କଏଦୀଙ୍କ କୁଣ୍ଡଳୀ ରହିବ । ତାହାକୁ କେହି ଡିଲିଟ୍ କି ହ୍ୟାକ୍ କରିପାରିବେ ନାହିଁ । ଭିନ୍ନ ଭିନ୍ନ କଏଦୀଙ୍କ ନାମ ସମାନ ହେଲେ ମଧ୍ୟ ଭୁଲରେ ବି କେହି ଖସି ପାରିବେ ନାହିଁ । ପୂର୍ବରୁ ସମାନ ନାମ ଥାଇ ଜଣଙ୍କୁ ଜାମିନ ହୋଇଥିବା ବେଳେ ସମାନ ନାମଧାରୀ ଅନ୍ୟ ଜଣେ ଅଭିଯୁକ୍ତ ଖସି ପଳାଉଥିଲେ । ମାତ୍ର ଏହି ବ୍ୟବସ୍ଥା ଲାଗୁ ହେବା ଫଳରେ ଆଉ କେହି ଖସି ପାରିବେ ନାହିଁ । ଏହି ଆପ୍ଲିକେସନକୁ ସ୍ୱତନ୍ତ୍ର ଆଇଡି ଓ ପାସୱାର୍ଡ ଦେଇ ରଖାଯିବ । ସେଥିରେ କଏଦୀଙ୍କ ନାମ, ଠିକଣା, ଅପରାଧ ରେକର୍ଡ, ଦଣ୍ଡ ଆଦି ସମସ୍ତ ତଥ୍ୟ ରହିବ । ଏଥିସହିତ ପେଶାଦାର ଅପରାଧୀ, ଠକ, ଗ୍ୟାଙ୍ଗଷ୍ଟରଙ୍କ ଦଣ୍ଡ ବିଷୟରେ ମଧ୍ୟ ସେଥିରେ ଉଲ୍ଲେଖ ରହିବ ।

Get real time updates directly on you device, subscribe now.