fbpx

ନୂଆବର୍ଷରେ ଲଜ୍ଜ୍ୟା: ଯୁବତୀଙ୍କୁ କାରରେ ୪ କିମି ପର୍ଯ୍ୟନ୍ତ ଘୋଷାରି ନେଲେ, ୫ ଯୁବକଙ୍କ ନୃଶଂସତାର ସୀମା ଟପିଲା

ନୂଆଦିଲ୍ଲୀ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯେତେ ନିୟମ ପ୍ରଣୟନ କରାଗଲେ ମଧ୍ୟ ଅପରାଧୀମାନେ ଜମାରୁ ସୁଧୁରୁ ନାହାନ୍ତି କି ସଡ଼କ ଦୁର୍ଘଟଣା ହ୍ରାସ ପାଉନାହିଁ । ତେବେ ଏହି କ୍ରମରେ ଆଜି ଦିଲ୍ଲୀରେ ଏକ ଅବିଶ୍ୱସନୀୟ ତଥା ଲଜ୍ଜ୍ୟାଜନକ ଘଟଣା ଘଟିଯାଇଛି । ଗୋଟିଏ ପଟେ ସାରା ଦେଶରେ ଧୂମଧାମରେ ନୂଆ ବର୍ଷ କରାଯାଉଥିବା ବେଳେ ଏହା ମଧ୍ୟରେ ଘଟିଯାଇଛି ଏକ ଭୟଙ୍କର ଦୁର୍ଘଟଣା । ଜଣେ ଯୁବତୀଙ୍କୁ ୫ ଜଣ ଯୁବକ ଏକ କାରରେ ୪ କିମି ପର୍ଯ୍ୟନ୍ତ ଘୋଷାରି ନେଇଥିଲେ । ଏହି ଘଟଣାକୁ ନେଇ ଦେଶର ରାଷ୍ଟ୍ରୀୟ ରାଜଧାନୀରେ ଚହଳ ପଡ଼ିଛି ।

ସୂଚନା ମୁତାବକ, ଏପରି ଏକ ଭୟଙ୍କର ଦୁର୍ଘଟଣା କାରଣରୁ ଉକ୍ତ ଯୁବତୀଙ୍କ ମୃତ୍ୟୁ ଘଟିଛି । ବିଳମ୍ବିତ ରାତିରେ ଯୁବତୀ ଜଣଙ୍କ ସ୍କୁଟିରେ ଘରକୁ ଯାଉଥିଲେ । ଏହି ସମୟରେ ସ୍କୁଟି ସହ ଏକ କାରର ଦୁର୍ଘଟଣା ଘଟିଥିଲା । ଏହାପରେ କାର ଚାଳକ ଯୁବତୀଙ୍କୁ ୪ କିମି ପର୍ଯ୍ୟନ୍ତ ଘୋଷାରି ନେଇଥିଲେ । ଦିଲ୍ଲୀ ପୋଲିସର ଆଉଟର ଜିଲ୍ଲାର ଡିସିପି ଏ ବାବଦରେ ସୂଚନା ଦେଇଛନ୍ତି ।

ଗତକାଲି ରାତି ପାଖାପାଖି ୩ଟା ସମୟରେ କଞ୍ଝାବଲା ଅଞ୍ଚଳରେ ପୋଲିସକୁ ଏକ ପିସିଆର କଲ ଆସିଥିଲା । ଜଣେ ଯୁବତୀ ନିର୍ବସ୍ତ୍ର ହୋଇ ରାସ୍ତାକଡ଼ରେ ପଡ଼ିଥିବା ସୂଚନା ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଯୁବତୀ ଲହୁଲୁହାଣ ଅବସ୍ଥାରେ ପଡ଼ି ରହିଥିଲେ । ତାଙ୍କର ଶରୀରରେ କପଡ଼ା ନଥିଲା । ଯୁବତୀଙ୍କ ଶରୀରର ଅଧିକାଂଶ ଅଙ୍ଗ ରୋଡ଼ ସହ ରଗଡ଼ି ହୋଇ ନିଶ୍ଚିହ୍ନ ହୋଇଯାଇଥିଲା । ତେବେ ଯୁବତୀଙ୍କ ବୟସ ପାଖାପାଖି ୨୩ ବର୍ଷ ହେବ ବୋଲି ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି । ତେବେ ଉକ୍ତ ଯୁବକମାନେ ମଦ୍ୟପାନ କରି ଗାଡ଼ି ଚାଳନା କରୁଥିଲେ କି ନାହିଁ, ଗାଡ଼ିର ସ୍ପିଡ କେତେ ଥିଲା ସେନେଇ ସବିଶେଷ ସୂଚନା ଜଣାପଡ଼ିନାହିଁ ।

Get real time updates directly on you device, subscribe now.