ଶକ୍ତିଶାଳୀ ରାଷ୍ଟ୍ରରେ କାୟା ମେଲାଉଛି ଓମିକ୍ରନ୍: ଚିହ୍ନଟ ହେଲେଣି ୫ ସଂକ୍ରମିତ, ଯାତ୍ରୀଙ୍କ ପାଇଁ କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ବିଶ୍ୱରେ କରୋନାର ନୂତନ ପ୍ରଜାତି ଓମିକ୍ରନ୍ କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ ଏହାର ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶେଷଜ୍ଞ ମାନେ ମଧ୍ୟ ଏହାକୁ ନେଇ ସମଗ୍ର ବିଶ୍ୱକୁ ଚେତାବନୀ ଦେଇଛନ୍ତି । କାରଣ ଏହି ନୂତନ ପ୍ରଜାତି ଖୁବ୍ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଛି । ଦକ୍ଷିଣ ଆଫ୍ରିକାରେ ଏବେ ରକେଟ୍ ବେଗରେ ଏହି ଭାଇରସ୍ ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏହା ୩୦ଟି ରାଷ୍ଟ୍ରରେ ବ୍ୟାପିସାରିଲାଣି । ପୂର୍ବରୁ ଆମେରିକାରେ କରୋନା ଭାଇରସ୍ ତାଣ୍ଡବ ରଚିଥିବା ବେଳେ ଏବେ ଏହି ନୂତନ ଭାରିଆଣ୍ଟ ପୁଣି ଦେଶରେ କାୟା ବିସ୍ତାର କରିବାରେ ଲାଗିଛି । କାରଣ ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରରେ ଓମିକ୍ରନ୍ ର ୫ଟି ମାମଲା ସାମନାକୁ ଆସିଛି ।

ଏହି କ୍ରମରେ ଆମେରିକାରେ ଟେଷ୍ଟିଂ ଓ ଟ୍ରାକିଂ ଜୋରଦାର କରିଦିଆଯାଇଛି । ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ କରିଦିଆଯାଇଛି । ଏହା ସହିତ ଆସନ୍ତା ସପ୍ତାହରୁ କୋଭିଡ୍ ଯାଞ୍ଚର ନୂତନ ନିୟମ ମଧ୍ୟ ଲାଗୁ କରିଦିଆଯାଯିବ । ହ୍ୱାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଘରୋଇ ବିମାନରେ ଯାତ୍ରା କରୁଥିବା ବିଦେଶୀ ଓ ଆମେରିକାର ନାଗରିକଙ୍କ ପାଇଁ ନୁତନ ନିୟମ ଆସନ୍ତା ସପ୍ତାହରୁ ହିଁ ଲାଗୁ ହେବ ।