ବାଲେଶ୍ୱର: ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି। ଲଗାଣ ବର୍ଷାର ପ୍ରଭାବ ବାଲେଶ୍ୱରରେ ଦେଖିବାକୁ ମିଳିଛି। ପାଣିରେ ରାସ୍ତା ଘାଟ ବୁଡିଯାଇଛି। ରାସ୍ତା ବର୍ତ୍ତମାନ ନଦୀର ଭ୍ରମ ସୃଷ୍ଟି କରିଛି।
ସେହିପରି ଏବେ ଖବର ଆସିଛି ଯେ, ବାଲେଶ୍ୱରରେ ପାଣିରେ ଭାସୁଛି ୫ ଶହ ଟଙ୍କିଆ ନୋଟ୍। ସୂଚନାନୁଯାୟୀ, ପୋଷ୍ଟ ଅଫିସରେ ଥିବା ଲୋକଙ୍କ ଜମା ଟଙ୍କା ପାଣିରେ ଭାସୁଛି। କମ୍ପ୍ୟୁଟର, ପ୍ରିଣ୍ଟର ମେସିନ, ପାସ୍ ବୁକ୍ ମଧ୍ୟ ପାଣିରେ ବୁଡ଼ିଯାଇଛି।
ରାଜ୍ୟରେ ବର୍ତ୍ତମାନ ବର୍ଷା ଜାରି ରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ହୋଇଛି ଲଘୁଚାପ କ୍ଷେତ୍ର। ଲଘୁଚାପ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଆଗାମୀ ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ସମଗ୍ର ଓଡ଼ିଶା ଦେଇ ଗତି କରିବ ସ୍ପଷ୍ଟ ଚିହ୍ନିତ ଲଘୁଚାପ।
ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା । ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ପଶ୍ଚିମ ଓଡ଼ିଶାର ଅନ୍ୟ ସ୍ଥାନରେ ବି ଅଧିକ ବର୍ଷିବ। କିଛି ସ୍ଥାନରେ ୨୦୦ ମିଲିମିଟରରୁ ଅଧିକ ବର୍ଷିପାରେ ବୋଲି ପାଣିପାଗ ବିଭାଗ କହିଛି ।
ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଉପକୂଳ ଓଡ଼ିଶା ଅତିକ୍ରମ କରିବ। ଆସନ୍ତା ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବ। ପରବର୍ତ୍ତୀ ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତି କରିବା ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।