fbpx

ସମବାୟ ବିଭାଗର ନୂଆ ଯୋଜନା: ରାଜ୍ୟର ପ୍ରତି ଜିଲ୍ଲାରେ ନିର୍ମାଣ ହେବ ୫ଟି ଲେଖାଏଁ ଅତ୍ୟାଧୁନିକ ଗୋଦାମ ଗୃହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୃଷିର ଉନ୍ନତି ଓ କୃଷକଙ୍କ ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । କାଳିଆ ଯୋଜନା ମାଧ୍ୟମରେ ଅନେକ ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ତେବେ ନିକଟରେ ରାଜ୍ୟ ସରକାର ଗ୍ରାମ୍ୟ ଅର୍ଥନୀତିକୁ ଆଗକୁ ନେବା ଲକ୍ଷ୍ୟରେ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଓ ବୃହତ ଅଞ୍ଚଳ ବହୁମୁଖୀ ସମବାୟ ସମିତି (ଲ୍ୟାମ୍ପସ)ର ଦାୟିତ୍ୱ ବୃଦ୍ଧି କରିଥିଲେ ।

ଏହା ମଧ୍ୟରେ ରାଜ୍ୟ ସମବାୟ ସଂସ୍ଥା ପକ୍ଷରୁ ପ୍ରତି ଜିଲ୍ଲାରେ ବୃହତ ଶସ୍ୟ ସଂରକ୍ଷଣ ଗୃହ ନିର୍ମାଣ କରିବା ପାଇଁ ଯୋଜନା ଚାଲିଛି । ପ୍ରତି ଜିଲ୍ଲାରେ ଅତିକମରେ ୫ଟି ଲେଖାଏଁ ପ୍ୟାକ୍ସ / ଲ୍ୟାମ୍ପସରେ ଏହି ସୁବିଧା ଉପଲବ୍ଧ ହେବ । ୫୦୦ରୁ ୨ ହଜାର ମେଟ୍ରିକ ଟନ ଖାଦ୍ୟ ସଂରକ୍ଷଣ ପାଇଁ ଗୃହ ନିର୍ମାଣ ନେଇ ଲକ୍ଷ୍ୟ ରଖାଯାଇଛି । ଏହାଫଳରେ ଖାଦ୍ୟଶସ୍ୟର ଅପଚୟକୁ ରୋକାଯାଇ ପାରିବ । ଯାହାଫଳରେ ଚାଷୀଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରିବା, ଅଭାବୀ ବିକ୍ରି ବନ୍ଦ କରିବା, ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଆଦି ଲକ୍ଷ୍ୟ ପୂରଣ ହୋଇ ପାରିବ ।

ଶସ୍ୟ ସଂରକ୍ଷଣ ଗୃହ ନିର୍ମାଣ ପାଇଁ ରାଜ୍ୟର ପ୍ରତି ଜିଲ୍ଲାରେ ଅତିକମରେ ୫ଟି ପ୍ୟାକ୍ସ/ଲ୍ୟାମ୍ପସକୁ ଚିହ୍ନଟ କରାଯିବ । ସେଗୁଡ଼ିକରେ ଅତିକମରେ ୫୦ ଡିସିମିଲି ଖାଲି ଜମି ରହିଥିବା ଆବଶ୍ୟକ । ଆସନ୍ତା ୩୧ ସୁଦ୍ଧା ସେସବୁକୁ ଚିହ୍ନଟ କରି ତା’ର ଏକ ତାଲିକା ପ୍ରଦାନ କରାଯିବ । ତାଲିକା ମିଳିବା ପରେ ଗୋଦାମ ଗୃହ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଏହି ଗୃହ ନିର୍ମାଣ ହେଲେ ପ୍ୟାକ୍ସ / ଲ୍ୟାମ୍ପସର ପରିବହନ ଖର୍ଚ୍ଚ ବହୁଗୁଣରେ ହ୍ରାସ ପାଇବ । ଏହି ଗୃହ ନିର୍ମାଣ ଓ ପରିଚାଳନାରେ ଅତ୍ୟାଧୁନିକ ଜ୍ଞାନକୌଶଳ ଅବଲମ୍ବନ କରାଯିବ । ଏନେଇ ରାଜ୍ୟ ସମବାୟ ସମିତି ନିବନ୍ଧକ ସମସ୍ତ ସମବାୟ ସମିତିର ମଣ୍ଡଳ ଉପନିବନ୍ଧକଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ।

Get real time updates directly on you device, subscribe now.