fbpx

ନୂଆବର୍ଷ ପୂର୍ବରୁ ବଢ଼ିଲା ସଂକ୍ରମଣ: ରାଜ୍ୟରୁ ପୁଣି ଚିହ୍ନଟ ହେଲେ ୫ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାତି ପାହିଲେ ନୂଆବର୍ଷ ୨୦୨୪ ପାଦ ଥାପିବ । ତେବେ ଏହା ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ହୋଇଥିବାର ଦେଖିବାକୁ ମିଳିଛି । ରାଜ୍ୟରୁ ପୁଣି ୫ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ଫଳରେ ରାଜ୍ୟରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି । ଅପରପକ୍ଷରେ ଜଣେ ସଂକ୍ରମିତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ ପହଞ୍ଚିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଜାରି କରାଯିବା ସହ ଭୟଭୀତ ନ ହେବାକୁ ପରାମର୍ଶ ଦିଆଯାଇଛି । କୋଭିଡ୍ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ରାଜ୍ୟର ସମସ୍ତ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲକୁ ଚିଠି ଲେଖି କରୋନା ନିୟମାବଳୀ ମାନିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପକ୍ଷରୁ କୁହାଯାଇଛି ।

୪ ଘଣ୍ଟା ମଧ୍ୟରେ ୫ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସମସ୍ତ ରୋଗୀ ଏବେ ସଙ୍ଗରୋଧରେ ରହିଛନ୍ତି ଓ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଯେଉଁମାନଙ୍କ ଠାରେ ଥଣ୍ଡା, ଜ୍ୱର, କାଶ ଲାଗି ରହୁଛି ସେମାନେ ପୃଥକ୍ ଭାବେ ରହିବା ସହିତ ପରୀକ୍ଷା କରାଇବାକୁ କୁହାଯାଇଛି । ଏଥିସହିତ ବହୁବିଧ ରୋଗୀମାନେ ଭିଡ଼କୁ ନ ଯିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି । ଏହା ପୂର୍ବରୁ ଗତ ୨୯ ତାରିଖରେ ୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୮ ତାରିଖରେ ୩ ଜଣ ଚିହ୍ନଟ ହୋଇଥିଲେ । ସଂକ୍ରମଣ ବଢ଼ୁଥିବାରୁ ମାସ୍କ ପିନ୍ଧିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.