ମଝି ଆକାଶରେ ଅସୁସ୍ଥ ହେଲେ ପାଇଲଟ୍; ଭାରତରେ ଜରୁରୀ ଅବତରଣ କଲା ବିଦେଶୀ ବିମାନ

ନୂଆଦିଲ୍ଲୀ: ମଝି ଆକାଶରେ ପାଇଲଟଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିବା ବେଳେ ନାଗପୁରରେ ଜରୁରୀ ଅବତରଣ କରିଛି ଏକ ବିଦେଶୀ ବିମାନ । ଢାକାରୁ ମସ୍କଟ ଅଭିମୁଖେ ଯାତ୍ରା କରୁଥିବା ଏହି ବିମାନଟିରେ ୧୨୬ ଜଣ ଯାତ୍ରୀ ରହିଥିଲେ । ବୋଇଂ ଏୟାରକ୍ରାଫ୍ଟ ବିଜି ୦୨୨ରାୟପୁର ନିକଟରେ ରହିଥିବା ବେଳେ ପାଇଲଟଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା ।

କୋଲକାତାର ଏୟାର ଟ୍ରାଫିକ କଣ୍ଟ୍ରୋଲରକୁ ବିମାନ ପକ୍ଷରୁ ସମ୍ପର୍କ ସ୍ଥାପନ କରାଯାଇଥିଲା । ଏହାପରେ ନାଗପୁରରେ ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା । ବିମାନଟି ସକାଳ ୧୧.୪୦ରେ ନାଗପୁରରେ ଅବତରଣ କରିଥିଲା । ଏହାପରେ ପାଇଲଟଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ବିମାନଟି ବିମାନ ବାଂଲାଦେଶର ବୋଲି ଜଣାପଡିଛି । କରୋନା ଭାଇରସ ସଂକ୍ରମଣ ପରଠାରୁ ଭାରତ ଓ ବାଂଲାଦେଶ ମଧ୍ୟରେ ବିମାନ ଚଳାଚଳ ବନ୍ଦ ରଖାଯାଇଛି ।