fbpx

ଥମିଲା ବର୍ଷା ଓ ବନ୍ୟା ପ୍ରକୋପ, ଟଳିନି ବିପଦ: ଆଜି ୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି

କମୁଛି ପାଣି, ଘର ମୁହାଁ ପ୍ରଭାବିତ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଲଘୁଚାପଜନିତ ଲଗାଣ ବର୍ଷା ଓ ତଦ୍‌ଜନିତ ବନ୍ୟାସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ବିପଦ ସମ୍ପୂର୍ଣ୍ଣ ରୂପେ ଟଳିନାହିଁ । ଯଦିଓ ବିଭିନ୍ନ ସ୍ଥାନରେ ପାଣି କମିବାରେ ଲାଗିଛି ତଥାପି ଲୋକମାନେ ଜଳବନ୍ଦୀ ହୋଇ ରହିଛନ୍ତି । ବହୁ କଚ୍ଚା ଘର ଭାଙ୍ଗିଯାଇଛି । ବିଭିନ୍ନ ନଦୀବନ୍ଧ, ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିବା ପ୍ରଭାବିତମାନେ ଏବେ ଘରମୁହାଁ ହୋଇଥିବା ଦେଖିବାକୁ ମିଳିଛି । ଯେଉଁସବୁ ସ୍ଥାନରେ ପାଣି ଛାଡ଼ିଛି ସେସବୁ ସ୍ଥାନରେ ଲୋକମାନେ ଘର ସଜାଡ଼ିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ବର୍ଷା ଓ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବିଶେଷ କରି ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ପୁରୀ, ବାଲେଶ୍ୱର, କନ୍ଧମାଳ, ମୟୂରଭଞ୍ଜ ଇତ୍ୟାଦି ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଛି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ଦିଘା ନିକଟରେ ସ୍ଥଳଭାଗ ଅତିକ୍ରମ କରିବା ପରେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ବାଲେଶ୍ୱରର ଭୋଗରାଇରେ ୨୨୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ ୨ଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ, ୨୭ଟି ସ୍ଥାନରେ ଅତି ପ୍ରବଳ ଓ ୪୯ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ଉଭୟ ପାଣିପାଗ ବିଭାଗ ଓ ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି । ସେହିପରି କନ୍ଧମାଳର ଫିରିଙ୍ଗିଆରେ ୨୧୧ ମିଲିମିଟର ବର୍ଷା ହୋଇଥିବାବେଳେ କନ୍ଧମାଳରେ ୧୩୫.୫ ମି.ମି. ଓ ଚକାପାଦରେ ୧୯୦ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ପ୍ରବଳ ବର୍ଷାରେ କନ୍ଧମାଳର କୁତ୍ତମଗଡ଼ରୁ ପାରିଗଡ଼କୁ ପଡ଼ିଥିବା ରାସ୍ତାର ବତେଡ଼ିମୁଣ୍ଡା ଠାରେ ଥିବା ପୋଲ ଭାସିଯାଇଥିବା ସୂଚନା ମିଳିଛି । ଫଳରେ ସିର୍ଲା ଓ ବତେଡ଼ିମୁଣ୍ଡାକୁ ଯୋଗାଯୋଗ ବିଚ୍ଛନ୍ନ ହୋଇପଡ଼ିଥିବାବେଳେ ପୋଲର ଉଭୟ ପାଶ୍ୱର୍ରେ ଶହ ଶହ ଗାଡ଼ି ଅଟକି ରହିଥିବା ସୂଚନା ଦିଆଯାଇଛି ।

ସେହିପରି ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ବିଭିନ୍ନ ସ୍ଥାନରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ୪ ଜଣ ନାବାଳିକା ନାବାଳକ ରହିଛନ୍ତି । ପ୍ରଥମ ଘଟଣାଟି ଘଟିଛି ବାଲେଶ୍ୱରର ବାଲିଆପାଳରେ । ବାଲିଆପାଳ ମଧୁପୁରା ଗାଁର ସେକ୍‌ ଆନସାରୀଙ୍କ ଘରର ପାଚେରୀ ଭୁଶୁଡ଼ି ପଡ଼ିବା ଫଳରେ ଜଣେ ୪ ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି । ସେହିପରି ମୟୂରଭଞ୍ଜ ଜିଲ୍ଲା ବିଷୋୟୀ ଥାନା ଲୁହାକାନି ପଞ୍ଚାୟତ ଭୋଳବେଡ଼ା ଗାଁରେ ଶୁକ୍ରବାର ରାତିରେ ପ୍ରବଳ ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ପଡ଼ିବାର ଗୋଟିଏ ପରିବାରର ୨ ଭଉଣୀ ମୃତ୍ୟୁବରଣ କରିଛନ୍ତି । ସେମାନେ ହେଲେ ନିହାରିକା ଗିରି (୫) ଓ ସ୍ୱିଟି ଗିରି (୧୨) । ଅନ୍ୟପକ୍ଷରେ ସେମାନଙ୍କ ବାପା-ମା ମଧ୍ୟ ଗୁରୁତର ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି । ଅଗ୍ନିଶମ ବିଭାଗ ମାଟିତଳୁ୨ ଭଉଣୀଙ୍କ ମୃତଦେହ ଉଦ୍ଧାର କରିଛି । ସେହିପରି କୋରାପୁଟ ପିଏଚ୍‌ଡି କଲୋନୀରେ ପ୍ରବଳ ବର୍ଷାରେ ଭିଜିଥିବା ଏକ ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଜଣେ ନାବାଳକର ମୃତ୍ୟୁ ହୋଇଛି । ସେହିଭଳି କେନ୍ଦୁଝର ଜିଲ୍ଳା ମହାଦେଈଯୋଡ଼ା ପଞ୍ଚାୟତ ଟିରପଡ଼ା ଗାଁର ବେହେରା ସାହିରେ ପ୍ରବଳ ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ପଡ଼ିବାରୁ ଦୂତିକା ବେହେରା ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ।

ଅନ୍ୟପକ୍ଷରେ ମହାନଦୀ ଓ ତା’ର ଶାଖା ନଦୀରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ସୁଧାର ଆସୁଛି । ବନ୍ୟାଜଳ ଛାଡ଼ିବା ପରେ କ୍ଷୟକ୍ଷତି ଆକଳନ କରାଯିବ । ଏବେ ଲୋକଙ୍କୁ ରିଲିଫ ସାମଗ୍ରୀଯୋଗାଇ ଦିଆଯିବା ସହ ଘାଇ ମରାମତି ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ମହାନଦୀ ଓ ତା’ର ଶାଖାନଦୀରେ ସୃଷ୍ଟି ହୋଇଥିବା ୭ଟି ଘାଇକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ମାଗଣା ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିବାବେଳେ ପାଣି ଛାଡ଼ିବା ପରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ ଓ ଖୋର୍ଦ୍ଧା ଜିଲ୍ଲାର ପ୍ରଭାବିତଙ୍କୁ ୧୫ ଦିନ ରିଲିଫ ଏବଂ ଅନ୍ୟ ୫ଟି ଜିଲ୍ଲାରେ ୭ ଦିନ ରିଲିଫ ଦିଆଯିବ ବୋଲି ଶ୍ରୀ ଜେନା କହିଥିଲେ ।

ସେହିପରି ବନ୍ୟା ଅଞ୍ଚଳରେ ୯ ଲକ୍ଷ ପାଣିପାଉଚ ଓ ବୋତଲ ବଣ୍ଟାଯାଇଛି । ୧୬୧୮ ମେଟ୍ରିକ୍‌ ଟନ୍‌ ଗୋଖାଦ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ପଠାଯାଇଛି । ସେ କହିଥିଲେ, ଏବେ ରିଲିଫ ଉପରେ ଗୁରୁତ୍ୱ ଦିଆଯାଉଥିବାରୁ କ୍ଷୟକ୍ଷତି ଆକଳନ ପରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦିଆଯିବ କି ନାହିଁ ସେନେଇ ଚିନ୍ତା କରାଯିବ । ଏହି ବର୍ଷା ଓ ବନ୍ୟାରେ କେତେକ ସ୍ଥାନରେ ପୋଲ ଭାସିଯାଇଥିବାବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ବହୁ ରାସ୍ତାରେ ପାଣି ଚାଲୁଥିବାରୁ ଲୋକେ ଯାତାୟାତ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ବର୍ଷା ଓ ବନ୍ୟାରେ ହେକ୍ଟର ହେକ୍ଟର ଚାଷଜମିରେ ବ୍ୟାପକ ଧାନଫସଲ ନଷ୍ଟ ହୋଇଥିବାବେଳେ ପନପରିବା ପଚିସଢ଼ି ନଷ୍ଟ ହୋଇଛି । ଧାର କରଜ କରି ଚାଷ କରିଥିବା ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ତେବେ ଆଗକୁ ୬ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବାରୁ ସେସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, ଅନୁଗୋଳ, କୋରାପୁଟ, ରାୟଗଡ଼ା, ଗଜପତି ଓ ନବରଙ୍ଗପୁର । ତେବେ ହୀରାକୁଦର ଜଳସ୍ତର କମୁଥିବାରୁ ଓ ଉପରମୁଣ୍ଡରେ ବର୍ଷାର ପ୍ରଭାବ ନଥିବାରୁ ମାତ୍ର ୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଛି ।

Get real time updates directly on you device, subscribe now.