fbpx

ସୁନ୍ଦରଗଡ଼ ମେଡିକାଲ କଲେଜରେ ନାମଲେଖା ପାଇଁ ମିଳିଲା ଏନ୍‌ଏମ୍‌ସିଙ୍କ ଅନୁମତି, ଚଳିତ ବର୍ଷ ୧୦୦ ସିଟ୍‌ରେ ହେବ ଆଡମିସନ୍

ସୁନ୍ଦରଗଡ଼, (ଭାସ୍କର ନ୍ୟୁଜ୍‌) : ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ସୁନ୍ଦରଗଡ଼ ସହରର ଶଙ୍କରା ଠାରେ ନିର୍ମାଣ କରାଯାଉଥିବା ନୂତନ ସରକାରୀ ମେଡିକାଲ କଲେଜ୍‌ରେ ଚଳିତ ବର୍ଷଠୁ ଆରମ୍ଭ ହେବ ନାମଲେଖା । ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପାଇଁ ବିଧିବଦ୍ଧ ଭାବେ ଅନୁମତି ପ୍ରଦାନ କରିଛନ୍ତି ନ୍ୟାସନାଲ ମେଡିକାଲ କମିଶନ ।

ଚଳିତ ବର୍ଷ ୧୦୦ ସିଟ୍‌ ଲାଗି ମଞ୍ଜୁରୀ ପ୍ରଦାନ କରାଯାଇଛି । ୨୦୨୨-୨୩ ଶିକ୍ଷା ବର୍ଷରୁ ପାଠପଢ଼ା ଆରମ୍ଭ ହେବ । ଏହି ମେଡିକାଲ୍‌ କଲେଜ ସହ ୬ ମହଲା ବିଶିଷ୍ଟ ତଥା ୫ଶହ ଶଯ୍ୟା ବିଶିଷ୍ଟ ଏକ ସୁପର ସ୍ପେଶାଲିଟି ହସ୍ପିଟାଲ୍‌ ମଧ୍ୟ ନିର୍ମାଣ କରାଯାଇଛି ।ଏହି ହସ୍ପିଟାଲ୍‌ରେ ଆବଶ୍ୟକ ସଂଖ୍ୟକ ଆଇସିୟୁ ବେଡ୍‌, ଅତ୍ୟାଧୁନିକ ଡାକ୍ତରୀ ପରୀକ୍ଷା, ଅତ୍ୟାଧୁନିକ ଅପରେସନ ଥିଏଟର ଏବଂ ନିଜସ୍ୱ ଅକ୍ସିଜେନ୍‌ ପ୍ଲାଣ୍ଟ ଥିବା ସୂଚନା ଦିଆଯାଇଛି । ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଏହି ମେଡିକାଲ କଲେଜ ଏକ ଅଗ୍ରଣୀ ଭୂମିକା ନିର୍ବାହ କରିବ ବୋଲି ଆଶା କରାଯାଉଥିବାବେଳେ ଉତ୍ତମ ମାନର ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ଆଶା ମଧ୍ୟ କରାଯାଉଛି ।

ଚଳିତ ଶିକ୍ଷା ବର୍ଷରେ ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନେ ଏହି ମେଡିକାଲ କଲେଜରେ ନାମ ଲେଖାଇବାର ସୁଯୋଗ ପାଇବେ । ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡାକ୍ତରୀ ଶିକ୍ଷାର ପ୍ରସାର ଲାଗି ରାଜ୍ୟ ସରକାର ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତତାହା ଏକରକମ ସଫଳ ହୋଇଛି ବୋଲି କୁହାଯାଇପାରେ । ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ପରିଚାଳିତ ହେବାକୁ ଥିବା ଏହି ମେଡିକାଲ କଲେଜରେ ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ଆବଶ୍ୟକ କ୍ଲାସ୍‌ରୁମ୍‌ ସହ ବିଭିନ୍ନ ବିଭାଗରେ ଅତ୍ୟାଧୁନିକ ଲାବ୍ରୋଟେରୀ ମଧ୍ୟ ପ୍ରସ୍ତୁତ କରାଯାଇଛି । ଛାତ୍ରଛାତ୍ରୀମାନଙ୍କ ରହିବା ପାଇଁ ୪୮୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ୍‌ ମଧ୍ୟ ନିର୍ମାଣ ହୋଇଛି । ସେହିରି ମେଡିକାଲ କଲେଜର ଡାକ୍ତର, ନର୍ସ, ଡିନ୍‌ ଏବଂ ଅନ୍ୟ କର୍ମଚାରୀଙ୍କ ପାଇର୍ କ୍ୱାର୍ଟର ନିର୍ମାଣ କରାଯାଇଥିବା ସୂଚନା ଦିଆଯାଇଛି ।

Get real time updates directly on you device, subscribe now.