fbpx

ଆସନ୍ତା ୨୩ରେ ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଯିବ ବନ୍ୟାଜଳ: ଜନସାଧାରଣଙ୍କ ପାଇଁ ଜାରି ହେଲା ସତର୍କ ସୂଚନା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ହୀରାକୁଦ ଜଳଭଣ୍ଡାରରେ କ୍ରମାଗତ ଭାବେ ଜଳସ୍ତର ବଢ଼ି ଚାଲିଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆଶଙ୍କା ବଢ଼ି ଚାଲିଥିଲା । ତେଣୁ ଖୁବଶୀଘ୍ର ହୀରାକୁଦ ଜଳଭଣ୍ଡାରରୁ ଜଳ ଛଡ଼ାଯାଇ ପାରେ ବୋଲି ଅନୁମାନ କରାଯାଉଥିଲା । ତେବେ ମଧ୍ୟରେ ଆସିଛି ଏକ ବଡ଼ ଅପଡେଟ୍ । ଆସନ୍ତା ୨୩ ତାରିଖରେ ହୀରାକୁଦରୁ ବନ୍ୟାଜଳ ଛଡ଼ାଯିବ । ଏନେଇ ସର୍ବସାଧାରଣଙ୍କ ନିମନ୍ତେ ସତର୍କ ସୂଚନା ଜାରି କରାଯାଇଛି ।

ସୂଚନା ମୁତାବକ, ଆସନ୍ତା ୨୩ ତାରିଖ ସକାଳ ୯ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ଜଳ ଛଡ଼ାଯିବ । ବନ୍ୟାଜଳ ଛଡ଼ାଯିବା ଫଳରେ ମହାନଦୀ ଓ ଶାଖା ନଦୀଗୁଡ଼ିକରେ ବନ୍ୟା ଜଳସ୍ତର ବୃଦ୍ଧି ପାଇବ । ତେଣୁ ବନ୍ୟା ଜଳ ଛଡ଼ାଯିବା ନେଇ ୧୪ଟି ଜିଲ୍ଲାର ଜନସାଧାରଣଙ୍କୁ ଆଗୁଆ ସତର୍କ କରି ଦିଆଯାଇଛିି । ଅଚାନକ ବନ୍ୟାଜଳ ଛାଡ଼ିବା ଫଳରେ ଲୋକଙ୍କର ଅନେକ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ଏନେଇ ଡ୍ୟାମ କର୍ତ୍ତୃପକ୍ଷ ସତର୍କ କରିଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ କିଛିଦିନ ଧରି ରାଜ୍ୟରେ ମୌସୁମୀ ଜନିତ ବର୍ଷା ଜାରି ରହିଥିବାରୁ ଏହା ମଧ୍ୟରେ ହୀରାକୁଦ ଡ୍ୟାମର ଜଳସ୍ତର ଧୀରେଧୀରେ ବଢ଼ିବାରେ ଲାଗିଥିଲା । ତେଣୁ ଡ୍ୟାମ ପାଣି ବଢ଼ିବାକୁ ନେଇ ଲୋକଙ୍କ ମନରେ ଆଶଙ୍କା ଜାତ ହୋଇଥିଲା । ଦୁଇ ଦିନ ପୂର୍ବରୁ ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୯୦,୧୨୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩୯,୦୮୭ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା ।

Get real time updates directly on you device, subscribe now.