fbpx

ଫୁଟବଲ ବିଶ୍ୱକପ ପାଇଁ ଖୁସି ଅଛନ୍ତି ଭାରତୀୟ କୁକୁଡ଼ା ଚାଷୀ: ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ଚଳିତ ବର୍ଷର ଫୁଟବଲ ବିଶ୍ୱକପ ଗଲ୍ଫ ଦେଶ କତାରରେ ଅନୁଷ୍ଠିତ ହେଉଛି । ଏହା ସହିତ ଜଡିତ ସମସ୍ତ ଖେଳାଳି ଗୋଲ କରିବା ପାଇଁ ଏକ ଗୋଲ ବଲ ପଛରେ ଦୌଡ଼ୁଛନ୍ତି । କିନ୍ତୁ ଏଥର ବିଶ୍ୱକପରେ ଆଉ ଏକ ଗୋଲ ଜିନିଷ ଅଛି ଯାହା ସମସ୍ତଙ୍କୁ ପାଗଳ କରିଦେଇଛି । ଗଲ୍ଫ ଦେଶ କତାରରେ ବିଶ୍ୱର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କ ସମାବେଶ ହେଉଛି । ନିଶ୍ଚିତ ଭାବରେ ଏହି ସମୟରେ ଖାଦ୍ୟ ଏବଂ ପାନୀୟର ଚାହିଦା ମଧ୍ୟ ବୃଦ୍ଧି ପାଇଛି । ବିଶେଷକରି ଅଣ୍ଡାର ଚାହିଦା ବହୁତ ବୃଦ୍ଧି ପାଇଛି ଏବଂ ଭାରତୀୟ କୁକୁଡ଼ା ଶିଳ୍ପ ଏହି ଅଭାବ ପୂରଣ କରୁଛି ।

ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଗଲ୍ଫ ଦେଶଗୁଡିକୁ ୟୁକ୍ରେନ ଏବଂ ତୁର୍କୀ ଅଣ୍ଡା ଯୋଗାଉ ଥିଲେ । ତେବେ ୟୁକ୍ରେନ ଯୁଦ୍ଧରେ ଫସି ରହିଛି ଏବଂ କେବଳ ତୁର୍କୀ ଏହାକୁ ଯୋଗାଇବାରେ ସକ୍ଷମ ହୋଇ ପାରୁନି। ଏହାର ସୁଯୋଗ ନେଇ ଭାରତୀୟ କୁକୁଡ଼ା ଚାଷୀମାନେ ଗଲ୍ଫ ଦେଶରେ ରପ୍ତାନି ବୃଦ୍ଧି କରିଥିଲେ। ଫୁଟବଲ ବିଶ୍ୱକପ ସମୟରେ କତାରରେ ଅଣ୍ଡାର ଚାହିଦା ଆହୁରି ଅଧିକ ବୃଦ୍ଧି ପାଇଛି। ପଡୋଶୀ ଦେଶ ଓମାନ ଏବଂ ୟୁଏଇରେ ମଧ୍ୟ ଅଣ୍ଡାର ଚାହିଦାକୁ ଭାରତୀୟ ଶିଳ୍ପ ପୂରଣ କରୁଛି।

ଅଲ ଇଣ୍ଡିଆ ପଲ୍ଟ୍ରି ପ୍ରଡକ୍ଟ ରପ୍ତାନୀକାରୀ ସଂଘର ସଭାପତି କେ ସିହ୍ନାରାଜ କହିଛନ୍ତି ଯେ, ଗଲ୍ଫ ଦେଶରେ ଭାରତୀୟ ଅଣ୍ଡାର ଚାହିଦା ବଢୁଛି କାରଣ ଏହା ତୁର୍କୀ ତୁଳନାରେ ବହୁତ ଶସ୍ତା ଅଟେ । ୩୬୦ ଅଣ୍ଡାର ଗୋଟିଏ କ୍ୟାରେଟ ତୁର୍କୀରୁ ୩୬-୩୭ ଡଲାରରେ ଆସୁଥିବାବେଳେ ଭାରତ ଏହାକୁ ୩୦-୩୧ ଡଲାରରେ ପଠାଉଛି । ଅଧିକାଂଶ ଅଣ୍ଡା ଭାରତର ତାମିଲନାଡ଼ୁର ନମକ୍କଲରୁ ରପ୍ତାନୀ ହୋଇଥାଏ । ଏଠାରେ ଦୈନିକ ୪.୫ କୋଟି ଅଣ୍ଡା ଉତ୍ପାଦନ ହୋଇଥାଏ । ତେବେ ସମଗ୍ର ଦେଶରେ ପ୍ରତିଦିନ ୩୦କୋଟି ଅଣ୍ଡା ଉତ୍ପାଦନ କରାଯାଏ ।

ଆନ୍ଧ୍ରପ୍ରଦେଶର ଭେଙ୍କଟେଶ୍ୱର ହ୍ୟାଚେରୀର ମୁଖ୍ୟ କେ.ଜି. ଆନନ୍ଦ କହିଛନ୍ତି ଯେ, ଗଲ୍ଫ ଦେଶକୁ ଅଣ୍ଡା ରପ୍ତାନୀ କଲେ କୃଷକମାନେ ଅତ୍ୟଧିକ ଲାଭ ପାଇବେ । ଘରୋଇ ବଜାରରେ ଅଣ୍ଡା ଉତ୍ପାଦନର ମୂଲ୍ୟ ବୃଦ୍ଧି ପାଇଛି, କିନ୍ତୁ ଏଠାରେ ମୂଲ୍ୟ ବହୁତ କମ ରହିଛି ଯେଉଁଥିପାଇଁ କୁକୁଡ଼ା ଚାଷୀ କୌଣସି ଲାଭ ପାଇଲେ ନାହିଁ । କରୋନା ମହାମାରୀ ସମୟରେ ଅଣ୍ଡାର ଉତ୍ପାଦନ ମୂଲ୍ୟ ୪.୫୦ଟଙ୍କା ଥିବାବେଳେ ଏହାର ମୂଲ୍ୟ ୪.୭୫ ରୁ ୫ ଟଙ୍କା ହିଁ ଥିଲା । ବର୍ତ୍ତମାନ ଏହା ୫.୫୦ରୁ ୭ଟଙ୍କା ମଧ୍ୟରେ ପହଞ୍ଚିଛି । ଯାହା ଦ୍ୱାରା କୃଷକମାନେ ସିଧାସଳଖ ଭାବେ ଉପକୃତ ହେବେ ।

 

Get real time updates directly on you device, subscribe now.