ଯୁକ୍ତଦୁଇ ନାମଲେଖା ପାଇଁ ଦଶମ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେବେ ନା ନାହିଁ, ଜାଣନ୍ତୁ ଏନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, ୮ା୫ (ଓଡିଶା ଭାସ୍କର): ‘ରାଜ୍ୟରେ ଯୁକ୍ତଦୁଇରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା କରାଯିବ । ମେଧାବୀ ଛାତ୍ରଛାତ୍ରୀ ଭଲ ଶିକ୍ଷାନୁଷ୍ଠାନରେ ପଢ଼ିବା ନେଇ ସରକାରୀ ସ୍ତରରେ ଯୋଜନା କରାଯାଉଛି ।’ ତେବେ ଏଭଳି ଖବରକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅଗ୍ରାହ୍ୟ କରିଛନ୍ତି । ସମୀର କହିଛନ୍ତି ଯେ, ପ୍ରବେଶିକା ପରୀକ୍ଷା ନେଇ କୌଣସି ତଥ୍ୟ ନାହିଁ । ପ୍ରବେଶିକ ପରୀକ୍ଷା ମାଧ୍ୟମରେ ଯୁକ୍ତଦୁଇରେ ନାମଲେଖାକୁ ନେଇ ହେଉଥିବା ଚର୍ଚ୍ଚାକୁ ସେ ଅସ୍ୱୀକାର କରିଛନ୍ତି ।
ସମୀର କହିଛନ୍ତି ଯେ, ମାଟ୍ରିକ ରେଜଲ୍ଟକୁ ନେଇ ଅସନ୍ତୋଷ ଥିଲେ ଜଣେ ପିଲା ପୁଣି ପରୀକ୍ଷା ଦେଇପାରିବେ । ଆସନ୍ତା ଜୁନ ୩୦ ତାରିଖରେ ମାଟ୍ରିକ ଫଳ ପ୍ରକାଶ ପରେ ନାମଲେଖା କଥା ଜଣାପଡ଼ିବ । ଉଭୟ ନବମ ଓ ଦଶମ ପରୀକ୍ଷାର ମାର୍କ ଆଧାରରେ ମାଟ୍ରିକ ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ କରାଯିବ । ସୂଚନାଯୋଗ୍ୟ ଯେ, ଗଣଶିକ୍ଷା ବିଭାଗର ଏହି ନିଷ୍ପତ୍ତି ଦ୍ୱାରା ବହୁ ମେଧାବୀ ଛାତ୍ରଛାତ୍ରୀ ଯୁକ୍ତଦୁଇ ନାମଲେଖା ବେଳେ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ଦେଖାଦେଇଛି ।