ରାମ ମନ୍ଦିର ପାଇଁ ୪୬ ବର୍ଷ ଭୋଜନ ତ୍ୟାଗ ସହ ୫୬ ଭୂ ଓ ୨୭ ଜଳ ସମାଧି ନେଇଛନ୍ତି ଏହି ସନ୍ଥ; ଉଦଘାଟନକୁ ଆସିନି ଆମନ୍ତ୍ରଣ

ଅଯୋଧ୍ୟା: ଶ୍ରୀଧାମ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହେତୁ ଯୋଗ ସମ୍ରାଟ ଶିବଯୋଗୀ ବାଲଯୋଗୀ ବାଲବ୍ରହ୍ମଚାରୀ ସ୍ୱାମୀ ଅଭୟଚୈତନ୍ୟ ଫଳାହାରୀ ଓ ହିନ୍ଦୁ ସଂରକ୍ଷଣ ସମିତିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୌନୀ ମହାରାଜ ନିଜ ଜୀବନକାଳ ମଧ୍ୟରେ ଏ ପର୍ଯ୍ୟନ୍ତ ୫୬ ଭୂ ସମାଧି ଓ ୨୭ ଥର ଜଳସମାଧି ନେଇ ସାରିଛନ୍ତି । କେବଳ ଏତିକି ନୁହେଁ ସେ ଶ୍ରୀରାମ ମନ୍ଦିର ନିର୍ମାଣ ସଂକଳ୍ପ ପୂରଣ ହେବା ପ୍ରତିଜ୍ଞାକୁ ନେଇ ଗତ ୪୬ ବର୍ଷ ଧରି ଭୋଜନ ତ୍ୟାଗ କରିଛନ୍ତି । ଏହା ବ୍ୟତିତ ୧୯୮୧ରୁ ୨୦୨୩ ପର୍ଯ୍ୟନ୍ତ ଲଗାତର ସଂପୂର୍ଣ୍ଣ ଭାରତ ବର୍ଷରେ ବିଭିନ୍ନ ଧାର୍ମିକ ସ୍ଥଳରେ ଯଜ୍ଞ ଅନୁଷ୍ଠାନ, ପୂଜା ପାଠ, ଜପ ତପ ଓ ଉପବାସ ସହିତ ଚକ୍ରବର୍ତ୍ତୀ ପ୍ରଣାମ ପରି ସାଧନାକୁ ନିଜ ଜୀବନର ଧ୍ୟେୟ କରିଛନ୍ତି । ୧୯୮୯ରୁ ୨୦୦୨ ପୁରା ୧୪ ବର୍ଷ ମୌନବ୍ରତ ବି ରଖିଥିଲେ ।
ଗତ ୩୭ ବର୍ଷ ଧରି ରାମ ମନ୍ଦିର ନିର୍ମାଣ କାମନା ରଖି ୧ଅରବ ୮୬କୋଟି ୭୨ ଲକ୍ଷରୁ ଅଧିକ ଆହୁତି ଓ ଯଜ୍ଞ କରିଛନ୍ତି । ଏବେ ଆଯୋଧ୍ୟାରେ ଶ୍ରୀରାମ ମନ୍ଦିରର ଭବ୍ୟ ନିର୍ମାଣ ଶେଷ ହେବାକୁ ଯାଉଛି । କିନ୍ତୁ ଏହି ସନ୍ଥଙ୍କୁ ଉଦଘାଟନ କାର୍ଯ୍ୟକ୍ରମ ଲାଗି ଆମନ୍ତ୍ରଣ କରାଯାଇ ନାହିଁ । ଏହାକୁ ନେଇ ସନ୍ଥ ମୌନୀ ମହାରାଜ ବେଶ୍ ଦୁଃଖ ପ୍ରକାଶ କରିଛନ୍ତି ।
କେବଳ ଏତିକି ନୁହେଁ ମୌନୀ ମହାରାଜ ଦୀର୍ଘ ୩୭ ବର୍ଷ ଧରି ପେଟେଇ ପେଟେଇ ଭାରତର ବିଭିନ୍ନ ସ୍ଥାନକୁ (ପ୍ରାୟ ୫୪୦୦କିଲୋମିଟର ପର୍ଯ୍ୟନ୍ତ)ଚକ୍ରବର୍ତ୍ତୀ ଦଣ୍ଡବତ ପରିକ୍ରମା କରି ରେକର୍ଡ କରିଛନ୍ତି । ବର୍ଷର ୧୨ ମାସ ସେ କେବଳ ଭୂମି ଉପରେ ହିଁ ଶୟନ କରିଥାନ୍ତି ଓ ଭିକ୍ଷାରେ ମିଳୁଥିବା ଫଳ ଗ୍ରହଣ କରିଥାନ୍ତି ।

କେବଳ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ନୁହେଁ ଆତଙ୍କବାଦ ବିନାଶ, ଗୋହତ୍ୟା ବନ୍ଦ, ରାଷ୍ଟ୍ର ରକ୍ଷା, ରାଷ୍ଟ୍ରଗାନ ଓ ରାଷ୍ଟ୍ରୀୟ ଧ୍ୱଜକୁ ସମ୍ମାନ ଠାରୁ ଆରମ୍ଭ କରି ଜାମ୍ମୁ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦକୁ ନେଇ ସେ ବହୁତ ସଂଘର୍ଷ କରିଛନ୍ତି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ସେ ୧୧ଦିବସୀୟ ଭୂସମାଧି ବି ନେଇଥିଲେ । ସେ ନିଜ ଜୀବନକାଳ ମଧ୍ୟରେ ମୋଟ ୫୬ ଥର ଭୂସମାଧି ନେଇଛନ୍ତି । ନେପାଳରେ ସେ ସର୍ବାଧିକ ୪୧ ଦିନ ଭୂସମାଧି ନେଇଥିଲେ । ରାମ ମନ୍ଦିର ନିର୍ମାଣ ପାଇଁ ସେ ପୁରା ଭାରତର ବିଭିନ୍ନ ମହାନଗର ଓ ଧାର୍ମିକ ସ୍ଥଳରେ ଭୂ ଓ ଜଳସମାଧି ନେଇ ସାଧାରଣ ଜନତାଙ୍କ ମନରେ ପ୍ରଭୁ ଶ୍ରୀରାମଙ୍କ ପ୍ରତି ଆସ୍ଥା ଓ ବିଶ୍ୱାସ ଜନ୍ମାଇଥିଲେ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ସେ ନିଜର ପୁରା ଜୀବନର ସାଧନାକୁ ବିିନିଯୋଗ କରିଛନ୍ତି । କିନ୍ତୁ ତାଙ୍କୁ ଉଦଘାଟନ ସମୟରେ ଆମନ୍ତ୍ରଣ କରିବାକୁ ସରକାର ଭୁଲିଯାଇଛନ୍ତି ବୋଲି ସେ ଅତ୍ୟନ୍ତ କ୍ଷୋଭର ସହ କହିଛନ୍ତି ।