fbpx

୫ଟି କାରଣ ପାଇଁ ଭାରତ ଐତିହାସିକ ବିଜୟ ହାସଲ କଲା: ଟେଷ୍ଟରେ ସଫଳତା ପଛରେ ଦୁଇ ‘ସିକ୍ସର କିଙ୍ଗ’

Advertisement

ନୂଆଦିଲ୍ଲୀ: କେପଟାଉନରେ ଖେଳାଯାଇଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟରେ ଐତିହାସିକ ବିଜୟ ହାସଲ କରିବା ପରେ ଏବେ ଟିମ୍ ଇଣ୍ଡିଆର ସଫଳତାକୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚା ଚାଲିଛି । ପ୍ରଥମେ ଟେଷ୍ଟରେ ଗୋଟିଏ ଇନିଂସ ଓ ୩୨ ରନରେ ଶୋଚନୀୟ ଭାବେ ପରାଜୟବରଣ କରିଥିବା ଟିମ୍ ଇଣ୍ଡିଆ ମାତ୍ର ଦେଢ଼ ଦିନରେ ଦ୍ୱିତୀୟ ଟେଷ୍ଟରେ ବିଜୟ ହାସଲ କରିବା କିଛି କମ୍ କଥା ନୁହେଁ ।

ଏହି ଟେଷ୍ଟରେ ଭାରତ ୭ ୱିକେଟରେ ବିଜୟ ହାସଲ କରିବା ସହିତ ସିରିଜକୁ ୧-୧ ଡ୍ର କରିବାରେ ସକ୍ଷମ ହୋଇ ପାରିଛି । ଦକ୍ଷିଣ ଆଫ୍ରିକା ମାଟିରେ ଭାରତ ଆଜି ପର୍ଯ୍ୟନ୍ତ କୌଣସି ଟେଷ୍ଟ ସିରିଜ୍ ଜିତିନଥିବା ବେଳେ ହାତଗଣତି ସିରିଜ ଡ୍ର କରିଛି । ତେବେ ଟିମ ଇଣ୍ଡିଆର ଏହି ସଫଳତାର ଶ୍ରେୟ କାହାକୁ ଦିଆଯିବ, ତାହା ଏବେ ଏକ ବଡ଼ ପ୍ରଶ୍ନ । ଦଳର ‘ଦୁଇ ସିକ୍ସର କିଙ୍ଗ’ଙ୍କ ପାଇଁ ଭାରତ ଏତେବଡ଼ ସଫଳତା ହାସଲ କରିପାରିଲା ।

୧- ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ବେଳେ ଦଳର ମେରୁଣ୍ଡ ଭାଙ୍ଗିଦେଇଥିଲେ ମହମ୍ମଦ ସିରାଜ । ସିରାଜ ୯ ଓଭର ବୋଲିଂ କରି ମାତ୍ର ୧୫ ରନ ଦେଇ ୬ଟି ୱିକେଟ ଅକ୍ତିଆର କରିବା ଫଳରେ ଦକ୍ଷିଣ ଆଫ୍ରିକା ମାତ୍ର ୫୫ ରନରେ ଲଜ୍ଜାଜନକ ଭାବେ ଅଲଆଉଟ୍ ହୋଇଯାଇଥିଲା ।

୨- ସେହିପରି ଦ୍ୱିତୀୟ ଇନିଂସରେ ଯଶପ୍ରୀତ ବୁମ୍ରା ୬ଟି ୱିକେଟ ଅକ୍ତିଆର କରି ଟିମ୍ ଇଣ୍ଡିଆକୁ ବଡ଼ସଫଳତା ଦେଇଥିଲେ । ଉଭୟେ ବୁମ୍ରା ଓ ସିରାଜ ଭାରତ ପାଇଁ ‘ସିକ୍ସର କିଙ୍ଗ’ ପାଲଟିଥିଲେ ।

୩- ପ୍ରଥମ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲେ ହେଁ ଦଳକୁ ସମ୍ଭାଳିଥିଲେ କିଙ୍ଗ ବିରାଟ କୋହଲି । କୋହଲି ଧୈର୍ଯ୍ୟର ସହ ଖେଳି ଦଳ ପକ୍ଷରୁ ସର୍ବାଧିକ ୪୬ ରନ୍ କରି ଦଳକୁ ୧୫୩ ରନରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଫଳରେ ଭାରତ ପ୍ରଥମ ପାଳିରେ ପ୍ରତିପକ୍ଷ ଟିମ୍ ଠାରୁ ଆଗରେ ରହିଥିଲା ।

୪- ଏହି ମ୍ୟାଚରେ କେବଳ ବୁମ୍ରା ଓ ସିରାଜ ଭଲ ବୋଲିଂ କରିନଥିଲେ, ଅନ୍ୟ ପେସ ବୋଲର ମୁକେଶ କୁମାର ଓ ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ଯଥେଷ୍ଟ ଯୋଗଦାନ ଦେଇଥିଲେ । ମୁକେଶ ଦୁଇଟି ଇନିଂସରେ ୨-୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ପ୍ରସିଦ୍ଧ ୧ଟି ୱିକେଟ ନେଇଥିଲେ ।

୫- ସବୁଠାରୁ ବଡ଼ କଥା ହେଉଛି ଭାରତ ଏହି ମ୍ୟାଚରେ ପୂର୍ବ ମ୍ୟାଚର ଭୁଲକୁ ଦୋହରାଇ ନଥିଲା । ପ୍ରଥମ ମ୍ୟାଚରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ଖରାପ ପ୍ରଦର୍ଶନ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ତାହାକୁ ସୁଧାରିଥିଲା । ମୋଟାମୋଟି ଭାବେ ଦଳଗତ ପ୍ରଦର୍ଶନ କାରଣରୁ ଟିମ୍ ଇଣ୍ଡିଆ ଏହି ଐତିହାସିକ ବିଜୟ ହାସିଲ କରିବା ସହିତ ବିଦେଶରେ ଟେଣ୍ଡ ସିରିଜକୁ ୧-୧ରେ ଡ୍ର କରିବାରେ ସକ୍ଷମ ହୋଇପାରିଲା ।

Get real time updates directly on you device, subscribe now.